ରାଜ୍ ଠାକରେଙ୍କ ରଣହୁଙ୍କାର : ମୋଦି ମୁକ୍ତ ଭାରତର ଦେଲେ ଆହ୍ୱାନ । କହିଲେ, ବିପକ୍ଷ ଦଳ ଏକଜୁଟ ହୁଅନ୍ତୁ

73

ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ)ର ମୁଖ୍ୟ ରାଜ ଠାକରେ ରବିବାର ଦିନ ମୋଦି ସରକାରଙ୍କ ବିପକ୍ଷରେ ଆହ୍ୱାନ ଦେଇଛନ୍ତି । ୨୦୧୯ ମସିହା ସୁଦ୍ଧା ଭାରତକୁ ମୋଦି ମୁକ୍ତ ଦେଶ କରିବା ପାଇଁ ଆହ୍ୱାନ ଦେବା ସହ ଅନ୍ୟ ବିରୋଧୀ ଦଳକୁ ଏକଜୁଟ୍ ହୋଇ ଏହାକୁ ମୁକାବିଲା କରିବା ପାଇଁ ସେ କହିଛନ୍ତି । ମୁମ୍ବାଇର ଶିବାଜୀ ପାର୍କଠାରେ ଏକ ରାଲିରେ ପାର୍ଟି କର୍ମକର୍ତ୍ତାଙ୍କୁ ଏକଜୁଟ୍ କରି ଠାକରେ କହିଲେ ଯେ ଦେଶ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରଙ୍କ ମିଛ ପ୍ରତିଶ୍ରୁତିରେ ବିରକ୍ତ ହୋଇଗଲାଣି । ଏବେ ଦେଶକୁ ମୋଦି ମୁକ୍ତ କରିବାର ସମୟ ଆସିଛି ।

ଠାକରେ କଟାକ୍ଷ କରି କହିଥିଲେ, ଭାରତ ୧୯୪୭ ମସିହାରେ ପ୍ରଥମ ସ୍ୱାଧୀନତା ପାଇଥିଲା,ଦ୍ୱିତୀୟ ସ୍ୱାଧୀନତା ୧୯୭୭ ମସିହାରେ ହୋଇଥିଲା ଏବଂ ୨୦୧୯ ମସିହାରେ ଭାରତ ମୋଦି ମୁକ୍ତ ହେବା ପରେ ତୃତୀୟ ସ୍ୱାଧୀନତା ପାଇବ । ମୋଦି ସରକାର ଶାସନରୁ ବାହାର ହେବା ପରେ ଯଦି ବିମୁଦ୍ରାକରଣ ଉପରେ ଯାଂଚ କରାଯାଏ ତେବେ ଏହା ଭାରତର ଦ୍ୱିତୀୟ ବଡ ଘୋଟାଲା ରୂପେ ସାବ୍ୟସ୍ତ ହେବ ।

ଏତଦବ୍ୟତୀତ ଠାକରେ ସ୍ୱର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ରାଜକୀୟ ଅନ୍ତ୍ୟେଷ୍ଟି ସମ୍ମାନକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ତାଙ୍କ ମତରେ ଶ୍ରୀଦେବୀ ଜଣେ ଦମଦାର ଅଭିନେତ୍ରୀ ଥିଲେ ସତ କିନ୍ତୁ ସେ ଦେଶ ପାଇଁ ଏମିତି କ’ଣ କାମ କରିଥିଲେ ଯେଉଁଥିପାଇଁ ତାଙ୍କ ଶବକୁ ତ୍ରିରଙ୍ଗା ପତକା ସହ ଗୁଡାଇ ସତ୍କାର କରାଯାଇଥିଲା । ନୀରବ ମୋଦି-ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାରଙ୍କ ଇସାରାରେ ଶ୍ରୀଦେବୀଙ୍କ ସତ୍କାରକୁ ଧୁମଧାମରେ କରାଯାଇଥିଲା ।