ଲଗାଣ ବର୍ଷାରେ ଭାସୁଛି ମୁମ୍ବାଇ : ରାସ୍ତା ଘାଟରେ ବନ୍ୟାର ଭ୍ରମ

51

କନକ ବ୍ୟୁରୋ : ମୁମ୍ବାଇର ଲଗାତର ଚତୁର୍ଥ ଦିନରେ ବର୍ଷା ଜାରି ରହିଛି । ଗତ ତିନି ଦିନର ଲଗାଣ ବର୍ଷା ମୁମ୍ବାଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ଆଜି ଚତୁର୍ଥ ଦିନରେ ବର୍ଷା ଜାରି ରହିଛି । ମୁମ୍ବାଇରେ ଲାଗି ରହିଛି ମୌସୁମୀ ଜନିତ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଲୋକମାନେ ରହିଛନ୍ତି । ରାସ୍ତାଘାଟରେ ପାଣି ଜମିରହିଥିବାରୁ ଆଧା ରାସ୍ତାରେ ଗାଡିଗୁଡିକ ଅଟକି ରହିଥିବା ସହ ରେଳଲାଇନ ଉପରେ ପ୍ରବଳ ପାଣି ଜମି ରହିଛି । ପ୍ରବଳ ବର୍ଷା ହେଉଥିବା କାରଣରୁ ମୁମ୍ବାଇକୁ ସଂଯୋଗ କରୁଥିବା ଏକ ପୋଲକୁ ସ୍ଥାନୀୟ ପୋଲିସ ପକ୍ଷରୁ ବନ୍ଦ କରିଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ସପ୍ତାହେ ଯାଏଁ ବଷା ଲାଗିରହିବ । ମୁମ୍ବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୟା, ହିନ୍ଦମାତା,ବଡାଲା,ଚେମ୍ବୁର, ଅନ୍ଧେରୀ, ସାୟନରେ ବର୍ଷା ଜମ ଜମିରହି ବନ୍ୟାର ଭ୍ରମ ସୃଷ୍ଟି କରିଛି ।

ରାସ୍ତାଘାଟ ପାଣିରେ ବୁଡି ରହିଛି । ଅନେକ ଯାନବାହାନ ବର୍ଷା ଜଳରେ ବୁଡିରହିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷାକୁ ନଜରରେ ରଖି ମୁମ୍ବାଇରେ ଅନେକ ସ୍କୁଲ କଲେଜ ଆଜିବି ବନ୍ଦ ରଖାଯାଇଛି । ତାଲସୋପରା ଓ ସିଓନ ରେଳଷ୍ଟେସନରେ ଆଜି ବି ବର୍ଷା ପାଣି ଲହଡି ଭାଙ୍ଗୁଛି । ରେଲୱେ ଟ୍ରାକରେ ଆଂଠୁଏ ଆଂଠୁଏ ପାଣି ଜମି ରହିଛି । ଯାହାଦ୍ୱାରା କିଛି ଟ୍ରେନ ବିଳମ୍ବରେ ଚାଲୁଛି । ଏବଂ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କୁ ଏଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେହିପରି ବର୍ଷା ଯୋଗୁଁ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ପାଖାପାଖି ୭୨ଟି ବିମାନ ବିଳମ୍ବରେ ଉଡାଣ ଭରିଛି ।