ପ୍ରାଣ ହାରିଲେ ଓଡିଆ ପାଇଲଟ୍ ! ମୁମ୍ବାଇ ହେଲକପ୍ଟର ଦୁର୍ଘଟଣାରେ ପ୍ରଫୁଲ୍ଲ ମିଶ୍ରଙ୍କ ମୃତ୍ୟୁ

42

କନକ ବ୍ୟୁରୋ : ମୁମ୍ବାଇର ଗୋରେଗାଓଁରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଓଡିଆ ପାଇଲଟଙ୍କର ମୃତ୍ୟୁ ହୋଇଛି । ଆଜି ଦିନ ପ୍ରାୟ ସାଢେ ୧୧ଟାରେ ଏହି ଘଟଣା ଘଟିଛି । ଅମନ ଏଭିଏସନ କମ୍ପାନି ପକ୍ଷରୁ ଏହି ବିମାନଟିକୁ ଚଳାଉଥିଲେ ଓଡିଆ ପାଇଲଟ୍ ପ୍ରଫୁଲ୍ଲ ମିଶ୍ର ।

ଭାରତୀୟ ସେନାର ଜଣେ ଦକ୍ଷ ପାଇଲଟ୍ ଭାବେ ବେଶ୍ ଜଣା ଶୁଣା ପ୍ରଫୁଲ୍ଲ ମିଶ୍ର । ମୁମ୍ବାଇରେ ରହୁଥିବା ୫୨ ବର୍ଷୀୟ ପ୍ରଫୁଲ୍ଲଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡିଛି । ସେନାରୁ ଅବସର ନେବା ପରେ ଏକ ଘରୋଇ ବିମାନ ଚଳାଚଳ ସଂସ୍ଥା ଅମନ ଏଭିଏସନ୍ ପ୍ରାଇଭେଟ୍ ଲିମିଟେଡରେ ରବିନସନ୍ -୪୪ ହେଲିକପ୍ଟରଟିକୁ ଉଡାଉଥିଲେ ପ୍ରଫୁଲ୍ଲ । ହେଲେ ଗୋରେଗାଓଁ ଆକାଶରେ ଉଡୁଥିବା ବେଳେ ହଠାତ୍ ହେଲିକପ୍ଟରରେ ଲଗିଗଲା ନିଆଁ । ଆଉ ଏହାକୁ ଅବତରଣ କରାଇବାକୁ ଯାଇ ପ୍ରାଣ ହରାଇଛନ୍ତି ପ୍ରଫୁଲ୍ଲ ମିଶ୍ର ।

ଦୁର୍ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିବା ପାଇଲଟଙ୍କ ସମେତ ୪ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ପ୍ରଫୁଲ୍ଲ ମିଶ୍ରଙ୍କର ମୃତ୍ୟୁ ହୋଇଯାଇଥିଲା । ଅମନ ଏଭିଏସନ୍ କମ୍ପାନି ଦ୍ୱାରା ପରିଚାଳନା କରାଯାଉଥିବା ଏହି ହେଲିକପ୍ଟର୍ ମୁଖ୍ୟତଃ ପର୍ଯ୍ୟଟକଙ୍କୁ ମହାରାଷ୍ଟ୍ରର ବିଭିନ୍ନ ଅଂଚଳ ବୁଲାଇବା କାମରେ ନିୟୋଜିତ ହୋଇଥାଏ । ହେଲିକପ୍ଟରରେ ବସିଥବା ଅନ୍ୟ ୩ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଆକାଶରେ ଦୁର୍ଘଟଣା : ଯାନ୍ତ୍ରୀକ ତୃଟି ଯୋଗୁଁ ମୁମ୍ବାଇ ଗୋରେଗାଁଓରେ ଖସିପଡିଲା ହେଲିକପ୍ଟର