ମୁମ୍ବାଇରେ ଫୁଟ ଓଭରବ୍ରିଜର ରେଲିଂ ଛିଡିଲା ! ୨୨ ମୃତ , ୩୦ରୁ ଅଧିକ ଗୁରୁତର ଆହତ

30

ମୁମ୍ବାଇ ପରେଲ ଷ୍ଟେସନରେ ଦଳଚକଟା । ଏଥିରେ ୨୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ କେଇମ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆଜି ସକାଳ ୧୦ଟା ୩୦ରେ ଏଭଳି ଦୁଃଖଦ ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଲୋକେ ଫୁଟ ଓଭର ବ୍ରିଜ ଉପରକୁ ଚଢି ଯାଇଥିଲେ । ଅଧିକ ସଂଖ୍ୟକ ଲୋକ ଚଢିବା ଫଳରେ ଓଭରବ୍ରିଜର ରେଲିଂ ଛିଡିପଡିଥିଲା । ଏହାପରେ ଓଭରବ୍ରିଜ ଉପରେ ଧାଁ ଦଉଡ ଆରମ୍ଭ ହୋଇଯାଇଥିଲା । ଫଳରେ କିଛି ଲୋକ ରେଲିଂରୁ ସିଧାସଳଖ ଖସି ତଳେ ପଡିଥିଲେ । ଫଳରେ ଏତେବଡ ଅଘଟଣ ଘଟିଲା ।

ଡାକ୍ତରଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ବାକି ଗୁରୁତର ଆହତଙ୍କର ଏବେ ଚିକିତ୍ସା ଚାଲିଛି । ଆଉ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମାତ୍ର ୧୦ରୁ ୧୫ ମିନିଟ ମଧ୍ୟରେ ଏତେବଡ ଦୁର୍ଘଟଣା ଘଟିଗଲା । ତେବେ ଗୁଜବ ଯୋଗୁଁ ଏତେବଡ ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ବର୍ଷା ଆରମ୍ଭ ହେବା ପରେ ବହୁତ ଲୋକ ଏହି ଓଭରବ୍ରିଜ ଉପରେ ଛିଡା ହୋଇଥିଲେ । ମାତ୍ର କିଛି ଲୋକ ଓଭରବ୍ରିଜ ଛିଡିଯିବା ନେଇ ଗୁଜବ କରିଥିଲେ । ଫଳରେ ଲୋକମାନେ କିଛି ଆଗ ପଛ ନଭାବି ପ୍ରାଣମୂର୍ଚ୍ଛା ଏଣେ ତେଣେ ଦୌଡିଥିଲେ ଫଳରେ ଏତେବଡ ଦୁର୍ଘଟଣା ଘଟିିଲା ।