ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର ! ପ୍ରାୟ ୨୨ ଦିନ ଧରି ଆଂଶିକ ରୂପେ ବନ୍ଦ ରହିବ ମୁମ୍ବାଇ ବିମାନ ବନ୍ଦର

294

ଆଗାମୀ ୨ ମାସ ମଧ୍ୟରେ ମୁମ୍ବାଇରୁ କିମ୍ବା ମୁମ୍ବାଇକୁ ବିମାନ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେବେ । କାରଣ, ମୁମ୍ବାଇ ବିମାନ ବନ୍ଦର ଫେବ୍ରୁଆରିରୁ ମାର୍ଚ ଭିତରେ ୨୨ ଦିନ ଧରି ଦିନକୁ ୬ ଘଣ୍ଟା ଲେଖାଏ ବନ୍ଦ ରହିବ ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଏଥିଯୋଗୁ ବିମାନ ସେବା ବାଧାପ୍ରାପ୍ତ ହୋଇପାରେ। ବିମାନ ବନ୍ଦରର ରନ୍-ୱେରେ କାର୍ପେଟ ପଡ଼ିବା କାମ ଚାଲିବା ସମୟରେ ବିମାନ ବନ୍ଦର ବନ୍ଦ ରହିବ ବୋଲି ସୂଚନା ରହିଛି। ଏହି କାରଣରୁ ବିମାନ ଭଡ଼ା ନିର୍ଦ୍ଦିଷ୍ଟ କେତେକ ସ୍ଥାନ ଯେପରିକି ଦିଲ୍ଲୀ, ବେଙ୍ଗାଲୁର, ହାଇଦ୍ରାବାଦ୍କୁ ୮୦ ପ୍ରତିଶତ ଅଧିକ ପଡ଼ିବ।

ଏ ନେଇ ମୁମ୍ବାଇ ଇଣ୍ଟରନ୍ୟାସ୍ନାଲ ବିମାନ ବନ୍ଦରର ମୁଖପାତ୍ର ସୂଚନା ଦେଇଛନ୍ତି ଯେ ପ୍ରତି ମଙ୍ଗଳବାର, ଗୁରୁବାର ଏବଂ ଶନିବାର ୧୧ଟାରୁ ନେଇ ସଂଧ୍ୟା ୫ଟା ମଧ୍ୟରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ଚଳାଚଳ କରିବ ନାହିଁ । ଫେବ୍ରୁଆରି ୭ ତାରିଖରୁ ମାର୍ଚ ୩୦ ପର‌୍ୟ୍ୟନ୍ତ ଏପରି ଚାଲୁ ରହିବ। କେବଳ ମାର୍ଚ ୨୧ ତାରିଖରେ ପଡୁଥିବା ଗୁରୁବାର ଦିନ ବିମାନ ବନ୍ଦରଟି ପୂରା ଦିନ ଖୋଲା ରହିବ। ଏଥିପାଇଁ ଅନେକଗୁଡ଼ିଏ ଅନ୍ତର୍ଜାତୀୟ ବିବାନଗୁଡ଼ିକର ବି ସମୟ ବଦଳାଯିବ ବୋଲି ଜାଣିବାକୁ ମିଳିଛି।

ଜାଣିରଖନ୍ତୁ ଯେ ମୁମ୍ବାଇ ବିମାନ ବନ୍ଦର ପ୍ରତ୍ୟେକ ଦିନ ୯୭୦ ବିମାନ ଯାତାୟତ କରିଥାନ୍ତି। ନିକଟରେ ୨୦୧୮ ଅକ୍ଟୋବରରେ ଗୋଟିଏ ଦିନ ପାଇଁ ମୁମ୍ବାଇ ବିମାନ ବନ୍ଦର ବନ୍ଦ ରହିଥିଲା। ସେହି ଗୋଟାଏ ଦିନର ବନ୍ଦ ୩୦୦ ବିମାନ ଉପରେ ପ୍ରଭାବ ପକାଇଥିଲା।