ବିଶ୍ୱର ୧୨ ତମ ଧନୀ ସହର ମୁମ୍ବାଇ ! ତାଲିକାର ସର୍ବାଗ୍ରେ ରହିଛି ନ୍ୟୁୟର୍କ ସହର

56

କନକ ବ୍ୟୁରୋ : ସମୁଦାୟ ୯୫୦ ବିଲିୟନ୍‌ ଡଲାର୍‌ ସମ୍ପତ୍ତି ଥାଇ ଭାରତର ଅର୍ଥନୈତିକ ସହର ମୁମ୍ବାଇ ବିଶ୍ୱର ୧୫ଟି ଶ୍ରେଷ୍ଠ ଧନୀ ସହର ମଧ୍ୟରେ ସ୍ଥାନିତ ହୋଇ ପାରିଛି । ତାଲିକାର ସର୍ବାଗ୍ରେ ରହିଛି ନ୍ୟୁୟର୍କ ସହର । ‘ନିଉ ଓ୍ଵାର୍ଲ୍ଡ ୱେଲଥ’ର ରିପୋର୍ଟ ଅନୁସାରେ, ଭାରତର ଅର୍ଥନୈତିକ ହବ୍‌ ଦ୍ୱାଦଶ ଧନୀ ସହର ଭାବେ ପରିଗଣିତ ହୋଇଛି । ସମୁଦାୟ ୯୪୪ ବିଲିୟନ୍‌ ଡଲାର୍‌ ଥାଇ ତା’ ପଛକୁ ରହିଛି ଟରୋଣ୍ଟୋ, ୯୧୨ ବିଲିୟନ୍‌ ଡଲାର୍‌ ଥାଇ ଫ୍ରାଙ୍କ୍‌ଫୁର୍ଟ ଏବଂ ୮୬୦ ଡଲାର ଥାଇ ପ୍ୟାରିସ୍‌ । ସମୁଦାୟ ସମ୍ପଦ କହିଲେ ସହରରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପତ୍ତି । ବ୍ୟକ୍ତି ବିଶେଷଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇ ଏହା ହିସାବ କରାଯାଇଛି । କିନ୍ତୁ, ସରକାରୀ ଅର୍ଥକୁ ଏହି ହିସାବରୁ ବାଦ ଦିଆଯାଇଛି ।

ଲକ୍ଷପତି ଲୋକଙ୍କ ତାଲିକାରେ ମଧ୍ୟ ମୁମ୍ବାଇ ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ରହିଛି । ସେଠାରେ ୨୮ ଜଣ ବିଲିଅନେୟାର୍‌ ବସବାସ କରୁଛନ୍ତି । ୧ ବିଲିୟନ୍‌ରୁ ଅଧିକ ସମ୍ପତ୍ତି ଥିବା ଲୋକଙ୍କୁ ଏଥିରେ ତାଲିକାଭୁକ୍ତ କରାଯାଇଛି । ମୁମ୍ବାଇ ସମ୍ପର୍କରେ ରିପୋର୍ଟ ଉଲ୍ଲେଖ କରି କହିଛି, ସହରରେ ଥିବା ସମସ୍ତ ସମ୍ପତ୍ତିର ମୂଲ୍ୟ ୯୫୦ ବିଲିୟନ୍‌ ଡଲାର୍‌। ମୁମ୍ବାଇ ଭାରତର ଅର୍ଥନୈତିକ ହବ୍‌ । ବିଶ୍ୱର ୧୨ ନମ୍ବର ବୃହତ୍‌ ଷ୍ଟକ୍‌ ଏକ୍‌ସଚେଞ୍ଜ୍‌ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେଠାରେ ଅବସ୍ଥିତ। ମୁମ୍ବାଇରେ ଥିବା ଶିଳ୍ପଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସେବା, ରିଅଲ୍‌ ଇଷ୍ଟେଟ୍‌ ଏବଂ ଗଣମାଧ୍ୟମ । ଆସନ୍ତା ୧୦ ବର୍ଷ ମଧ୍ୟରେ ମୁମ୍ବାଇ ସମ୍ପତ୍ତି ଆଧାରରେ ବିଶ୍ୱର ସବୁଠୁ ଦ୍ରୁତ ବୃଦ୍ଧି ପାଉଥିବା ସହର ହେବାକୁ ଯାଉଛି । ୧୫ ସହର ମଧ୍ୟରେ ଶୀର୍ଷରେ ଥିବା ନ୍ୟୁୟର୍କର ସମ୍ପତ୍ତି ହେଉଛି ୩ ଟ୍ରିଲିୟନ୍‌ ଡଲାର୍‌ । ବିଶ୍ୱର ଦୁଇଟି ସର୍ବବୃହତ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେଠାରେ ଅବସ୍ଥିତ । ୨, ୭ ଟ୍ରିଲିୟନ୍‌ ଡଲାର୍‌ ଥାଇ ଲଣ୍ଡନ୍‌ ରହିଛି ତାଲିକାର ଦ୍ୱିତୀୟରେ । ୨. ୫ ଟ୍ରିଲିୟନ୍‌ ଡଲାର୍‌ ଥାଇ ତା’ ପଛକୁ ରହିଛି ଟୋକିଓ ଏବଂ ୨.୩ ଟ୍ରିଲିୟନ୍‌ ଡଲାର୍‌ ଥାଇ ସାନ୍‌ ଫ୍ରାନ୍‌ସିସ୍‌କୋ ବେ’ ଏରିଆ ।

ତାଲିକାରେ ଥିବା ଅନ୍ୟାନ୍ୟ ସହର ସବୁ ହେଉଛି: ବେଜିଙ୍ଗ୍‌ (୨.୨ ଟ୍ରିଲିୟନ୍‌ ଡଲାର୍‌), ସାଙ୍ଘାଇ (୨ଟ୍ରିଲିୟନ୍‌), ଲସ୍‌ ଏଞ୍ଜେଲେସ୍‌ (୧. ୪ ଟ୍ରିଲିୟନ୍‌ ଡଲାର୍‌), ହଙ୍ଗକଙ୍ଗ୍‌ (୧. ୩ ଟ୍ରିଲିୟନ୍‌ ଡଲାର୍‌), ସିଡ୍‌ନି (୧ ଟ୍ରିଲିୟନ୍‌ ଡଲାର୍‌), ସିଙ୍ଗାପୁର (୧ ଟ୍ରିଲିୟନ୍‌) ଏବଂ ସିକାଗୋ ୯୮୮ ଟ୍ରିଲିୟନ୍‌ ଡଲାର୍‌) । ତାଲିକାଭୁକ୍ତ ୧୫ ସହର ମଧ୍ୟରେ ବିଗତ ୧୦ ବର୍ଷ ମଧ୍ୟରେ ସାନ୍‌ ଫ୍ରାନ୍‌ସିସ୍‌କୋ, ବେଜିଙ୍ଗ୍‌, ସାଙ୍ଘାଇ, ମୁମ୍ବାଇ ଏବଂ ସିଡ୍‌ନିର ଆର୍ଥିକ ଅଭିବୃଦ୍ଧି ଦ୍ରୁତତର ହୋଇଥିଲା । ଶ୍ରେଷ୍ଠ ତାଲିକା ମଧ୍ୟରେ ସ୍ଥାନ ହରାଇଥିବା ସହର ମଧ୍ୟରେ ଅଛି, ହଷ୍ଟନ୍‌, ଜେନେଭା, ଓସାକା, ସିଓଲ୍‌, ସେଞ୍ଜେହେନ୍‌, ମେଲ୍‌ବର୍ଣ୍ଣ, ଜୁରିଚ୍‌ ଏବଂ ଡଲାସ୍‌ ।