୧୪ ବର୍ଷୀୟ ହରିୟାଣା ଝିଅର ଅଦ୍ଭୁତ ପ୍ରତିଭା : ୧୪ଟି ବିଦେଶୀ ଭାଷାରେ ଦକ୍ଷତା ଅର୍ଜନ କରିବା ସହିତ ଆଇଏଏସ୍ ଅଫିସରଙ୍କୁ ଦିଅନ୍ତି ପ୍ରେରଣା

37

ସେ ସେତେବେଳେ ମାତ୍ର ୯ ବର୍ଷର ଥିଲେ ଯେତେବେଳେ ହରିଆଣାର ସୁକନ୍ୟା ଜାହ୍ନବୀ ପନଓ୍ଵାରଙ୍କୁ ‘ଓ୍ଵାଣ୍ଡର୍ ଗର୍ଲ ଅଫ୍ ଇଣ୍ଡିଆ’ ଶୀର୍ଷକ ପ୍ରଦାନ କରାଗଲା। ଆଶ୍ଚର୍ଯ୍ୟ ହେଉଛନ୍ତି କି? ମାଲପୁରର ଜଣେ ସରକାରୀ ଶିକ୍ଷକ ଓ ଗୃହିଣୀଙ୍କର ଏହି ଝିଅ ୧୪ଟି ବିଦେଶୀ ଭାଷାରେ ଉପରେ ଦକ୍ଷତା ରଖିଛନ୍ତି। ଜାହ୍ନବୀ ଫ୍ରେଞ୍ଚ୍, ବେସିକ୍ ଜାପାନିଜ୍, ଇଂରାଜୀ, ହିନ୍ଦୀ ଏବଂ ହରିୟାନାଭି ଆଦି ଭାଷା ଉପରେ ଅଧ୍ୟୟନ କରି ଜ୍ଞାନ ଅର୍ଜନ କରିଛନ୍ତି।

ପିଲାଦିନରୁ ଜାହ୍ନବୀଙ୍କ ବାପା ମାଆ ଅନୁଭବ କଲେ ଯେ ତାଙ୍କ ଝିଅ ଅନ୍ୟ ପିଲାଙ୍କଠାରୁ ଭିନ୍ନ। ସେ ଘରୁ ହିଁ ଅନେକ କଥା ଶିଖି ପକାଇଥିବାରୁ ୩ ବର୍ଷ ବୟସରେ ପ୍ରଥମେ ଯେତେବେଳେ ଜାହ୍ନବୀଙ୍କୁ ସ୍କୁଲ୍ ନିଆଯାଇଥିଲା ତାଙ୍କର ନର୍ସରିରେ ନାମ ନଲେଖା ଯାଇ କେଜି ସିନିୟର୍ ବର୍ଗରେ ଲେଖା ଯାଇଥିଲା। ଜାହ୍ନବୀଙ୍କର ଦକ୍ଷତା ଦେଖିବା ପରେ ସ୍କୁଲ୍ ଶିକ୍ଷକ ତାଙ୍କୁ ଗୋଟାଏ ବର୍ଷରେ ୨ଟି ଶ୍ରେଣୀର ପରୀକ୍ଷା ଦେବାକୁ ଅନୁମତି ଦେଇଥିଲେ। ଯେତେବେଳେ ସେ ଟିକେ ବଡ଼ ହେଲେ ଖେଳନା ଅପେକ୍ଷା ଜାହ୍ନବୀ ବିଭିନ୍ନ ପୁସ୍ତକ ଉପରେ ନିଜର ଆଗ୍ରହ ପ୍ରକାଶ କଲେ।

ଜାହ୍ନବୀଙ୍କ ସଂପର୍କରେ ତାଙ୍କ ବାପା କହନ୍ତି, ‘ମୋ ବାପା ମରିବା ପରେ ମୁଁ ଏକ ସ୍କୁଲରେ ସ୍ୱଳ୍ପ ଦରମାରେ ଶିକ୍ଷକତା ଆରମ୍ଭ କଲି। ଆମର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ମୋ ପତ୍ନୀ ଗର୍ଭବତୀ ଥିବା ବେଳେ ମୁଁ ପୁଅ ଜନ୍ମର ଆଶା ରଖିଥିଲି। ମାତ୍ର ଏବେ ଜାଣୁଛି ଯେ ମୋ ଝିଅ ମୋ ଗର୍ବ। ମୁଁ ମୋ ପତ୍ନୀ ଇଂରାଜୀରେ ଦୁର୍ବଳ ଥିବା ସତ୍ୱେ ସେ ଖୁବ୍ କମ୍ ବୟସରେ ସ୍କୁଲରୁ ଶିକ୍ଷା ଲାଭ କରି ଇଂରାଜୀ କହିବାରେ ଲାଗିଲା।’

ସେ ଇଂରାଜୀରେ ଭଗବଦ୍ ଗୀତା ବି ପଢ଼ି ସାରିଛନ୍ତି। ଖାଲି ସେତିକି ନୁହେଁ, କେଉଁ ବିଷୟରେ କ’ଣ ଅଛି ପଚାରିଲେ ସେ ସ୍ପଷ୍ଟ ଭାବେ କହି ପାରୁଛନ୍ତି। ସେ ପିଲାଦିନରୁ ଜଣେ ପ୍ରେରଣାଦାୟକ ବକ୍ତା ହେବାର ଇଚ୍ଛା ରଖିଥିଲେ। ନିଜକୁ ଆହୁରି ଟିକେ ଭଲ କରି ଗଢ଼ିବା ପାଇଁ ୧୧ ବର୍ଷ ବୟସରେ ଜାହ୍ନବୀଙ୍କୁ ନେଇ ତାଙ୍କ ବାପା ଦିଲ୍ଲୀର ଦୂତାବାସକୁ ନେଇଯାଇଥିଲେ। ମାତ୍ର ସେଠାରେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ନାମ ଲେଖା ପାଇଁ ଅନୁମତି ନଥିଲା। ସେ ବିବିସି ଆଙ୍କର୍ ହେବାକୁ ଇଚ୍ଛା ରଖିଥିବାରୁ ବଡ଼ ହେବା ପରେ ଜାହ୍ନବୀ ଗଣ ଯୋଗାଯୋଗରେ ନାମ ଲେଖାଇବେ। ସେ ଜଣେ ଭଲ ପ୍ରେରକ ଭାବେ ଭାରତର ୮ଟି ରାଜ୍ୟରେ ଆଇଏଏସ୍ ଅଧିକାରୀଙ୍କୁ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରେରଣା ଦିଅନ୍ତି ।