ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ମୋଦି! ଲୋକସଭାର ଶେଷ ଅଧିବେଶନର ଶେଷ କାର୍ଯ୍ୟଦିବସରେ ମୁଲାୟମ ସିଂ ଯାଦବ କହିଲେ ମନର କଥା

463

ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ । ଲୋକସଭାରେ ନିଜର ଭାଷଣରେ ମୁଲାୟମ କହିଛନ୍ତି ଯେ, ମୁଁ ଚାହୁଁଛି ନରେନ୍ଦ୍ର ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ  ।ଏପରିକି  ଯେତିକି ସଦସ୍ୟ ଚଳିତ ଥର ବିଜୟୀ ହୋଇ ସଦନକୁ ଆସିଛନ୍ତି ସେମାନେ ପୁଣିଥରେ ୨୦୧୯ରେ ନିର୍ବାଚନରେ ପୁର୍ନବାର ବିଜୟୀ ହୋଇ ସଦନକୁ ଆସନ୍ତୁ ।

ଲୋକସଭାର ବଜେଟ ଅଧିବେଶନର ଶେଷ କାର୍ଯ୍ୟଦିବସରେ ସମସ୍ତ ସାଂସଦ ନିଜର ଶେଷ ଅଭିଭାଷଣ ଦେଉଥିବା ବେଳେ ମୁଲାୟମ ସିଂ ଯାଦବ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏହି ବୟାନ ଦେଇଛନ୍ତି । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୫ ବର୍ଷର କାର୍ଯ୍ୟକାଳ ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ।

ମୁଲାୟମଙ୍କର ଏହି ବୟାନ ଆସିବା ପରେ ନରେନ୍ଦ୍ର ମୋଦି ତାଙ୍କୁ ନମସ୍କାର କରିବା ସହ ଅଭିବାଦନ ଜଣାଇଥିଲେ । ମୁଲାୟମଙ୍କର ଏହି ବୟାନ ପରେ ପୂରା ଗୃହ ତାଳି ମାଡରେ କମ୍ପି ଉଠିଥିଲା । ମୁଲାୟମ ଯେଉଁ ସମୟରେ ମୋଦିଙ୍କୁ ନେଇ ଏହି ବୟାନ ଦେଇଥିଲେ ଠିକ୍ ସେହି ସମୟରେ ତାଙ୍କ ପାଖରେ ବସିଥିଲେ ସୋନିଆ ଗାନ୍ଧି ।

ଏହାଛଡା ମୁଲାୟମ କହିଥିଲେ, ନିଜ କାର୍ଯ୍ୟକାଳ ସମୟରେ ମୋଦି ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ପ୍ରୟାସ କରିଥିଲେ ଓ ଏହି ପ୍ରୟାସରେ ସଫଳ ମଧ୍ୟ ହୋଇଥିଲେ । କେବଳ ମୋଦିଙ୍କୁ ନୁହେଁ ବରଂ ଗୃହକୁ ଭଲ ଭାବରେ ଚଳାଇଥିବାରୁ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଧନ୍ୟବାଦ ଦେଇଥିଲେ ମୁଲାୟମ ।

ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ସମସ୍ତଙ୍କର ଫୋକସରେ ଏବେ ଉତ୍ତର ପ୍ରଦେଶ ରହିଛି । ଖାସକରି ଉତ୍ତର ପ୍ରଦେଶରେ ବିଜେପିକୁ ମାତ୍ ଦେବାକୁ ସପା-ବସପା ହାତ ମିଳାଇଥିବା ବେଳେ ମୁଲାୟମଙ୍କ ଏହି ବୟାନ ଜାତୀୟ ରାଜନୀତିକୁ ଉଷ୍ମ କରିଛି । କାରଣ ଦିଲ୍ଲୀ ଚୌକି ହାତେଇବାକୁ ହେଲେ ଉତ୍ତର ପ୍ରଦେଶ ଦେଇ ଯିବାକୁ ହୁଏ ।