ପୁଅର ଗୋଟି ଚାଳନାରେ ବାପା ବେହାଲ୍ :୨୪ ଘଂଟା ନପୁରୁଣୁ ଅଖିଳେଶଙ୍କୁ ଦଳକୁ ଫେରାଇ ଆଣିଲେ ମୁଲାୟମ୍

32

କନକ ବ୍ୟୁରୋ : ସମାଜବାଦୀ ରାଜନୀତିର ଦଙ୍ଗଲରେ ବାପା ମୂଲାୟମଙ୍କ ଉପରେ ଭାରି ପଡିଲେ ପୁଅ ଅଖିଳେଶ । ୨୪ ଘଂଟା ଭିତରେ ନିଷ୍ପତିର ପୁନର୍ବିଚାର କରି ପୁଅକୁ ଦଳକୁ ଫେରାଇ ଆଣିବାକୁ ବାଧ୍ୟ ହେଲେ ନେତାଜୀ । କ୍ଷମତା ଯୁଦ୍ଧରେ ଅଖିଳେଶଙ୍କ ଗୋଟି ଚାଳନା ସାମ୍ନାରେ ମୂଲାୟମ ଅସ୍ତ୍ରତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ।

ଗତକାଲି ମୁଖ୍ୟମନ୍ତ୍ରୀ ଅଖିଳେଶ ଓ ତାଙ୍କ ଦୃଢ ସମର୍ଥକ ତଥା ସାଂସଦ ରାମଗୋପାଳ ଯାଦବଙ୍କୁ ୬ ବର୍ଷ ପାଇଁ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଇଥିଲା । ଆଉ ଆରମ୍ଭ ହୋଇଥିଲା ମହାଭାରତ । ସଂଗଠନ, ନେତୃତ୍ୱ ଆଉ ଦଳୀୟ ଚିହ୍ନକୁ ହାତେଇବାକୁ ନେଇ ଆରମ୍ଭ ହୋଇଥିଲା କସରତ ।

ପତିଆରା ଦେଖାଇବାକୁ ବାପା ଓ ପୁଅ କ୍ୟାମ୍ପ ଆରମ୍ଭ କଲେ ଗୋଟିଚାଳନା । ହେଲେ କନ୍ଦଳରେ ସମାଜବାଦୀ ରାଜନୀତିର ଟାଣୁଆ ନେତାଙ୍କୁ ମାତ୍ ଦେଲେ ପୁଅ । ଅଖିଳେଶ ଡାକିଥିବା ବୈଠକରେ ୧୯୦ ବିଧାୟକ ଓ ବିଧାନ ପରିଷଦର ସଦସ୍ୟ ଯୋଗ ଦେଇଥିଲେ । ହେଲେ ମୁଲାୟମଙ୍କ ବୈଠକରେ ମାତ୍ର ୨୦ ବିଧାୟକ ଓ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରୁ ୬୦ ଜଣ ସାମିଲ ହୋଇଥିଲେ । ୧୯୯୨ରେ ଯେଉଁ ଦଳ ଗଠନ କରିଥିଲେ, ତାର ନେତୃତ୍ୱ ହାତରୁ ଖସୁଥିବା ଦେଖି ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ ମୁଲାୟମ । ଉଭୟଙ୍କ ମଧ୍ୟରେ ବୁଝାମଣା କରାଇଥିଲେ ଆଜମ୍ ଖାନ୍ ।

ଆଉ ନିଷ୍ପତି ଘୋଷଣାର କିଛି ସମୟ ପରେ ସମର୍ଥକ ଆରମ୍ଭ କରିଦେଇଥିଲେ ସେଲିବ୍ରେସନ । ହେଲେ ସମାଜବାଦୀ ରାଜନୀତିର ଚର୍ଚ୍ଚିତ ଚେହେରା ଅମର ସିଂ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ମୂଲାୟମ କେବେ ଦଳ ଓ ପରିବାର ଭାଙ୍ଗିବାକୁ ଦେବେନି ।

ଯେଉଁ ପ୍ରାର୍ଥୀ ତାଲିକାକୁ ନେଇ ଏହି ପୂରା ବିବାଦ ଆରମ୍ଭ ହୋଇଥିଲା, ତା ଉପରେ ପୁନର୍ବଚାର କରାଯିବ ଓ ମିଳିତ ଶକ୍ତି ଭାବେ ନିର୍ବାଚନ ସାମ୍ନା କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।