ମୁକ୍ତିକାନ୍ତଙ୍କୁ କେବେ ମିଳିବ ମୋଦିଙ୍କ ଦର୍ଶନ ! ରାଜ୍ୟର ସ୍ୱାର୍ଥ ପାଇଁ ଦିଲ୍ଲୀ ଦରବାରରେ ଅଖିଆ ଅପିଆ ବସିଛନ୍ତି ଓଡିଆ ପୁଅ, ପ୍ରଧାନମନ୍ତ୍ରୀଙ୍କର ପଡୁନି ନଜର

32

କନକ ବ୍ୟୁରୋ : ଯନ୍ତରମନ୍ତରରୁ ପୋଲିସ ଉଠାଇନେବା ପରେ ରାମଲୀଳା ମୈଦାନରେ ଅନଶନ କରିବେ ମୁକ୍ତିକାନ୍ତ ବିଶ୍ୱାଳ । ପ୍ରଧାନମନ୍ତ୍ରୀଙ୍କୁ ନଭେଟିବା ଯାଏଁ ସେ ଅନଶନ ଜାରି ରଖିବେ ବୋଲି କହିଛନ୍ତି । ସେପଟେ ମୁକ୍ତିକାନ୍ତଙ୍କୁ ନେଇ ବଢିବାରେ ଲାଗିଛି ରାଜନୀତି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ, ମୁକ୍ତିକାନ୍ତଙ୍କୁ ଭେଟିବା ଉଚିତ । ଅନ୍ୟପଟେ ମୁକ୍ତିକାନ୍ତଙ୍କୁ ସମର୍ଥନ କରି ରାଉରକେଲାରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି ।

Muktikantaପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ନମିଳିବା ଏବଂ ପରେ ଅନଶନସ୍ଥଳରୁ ପୋଲିସ ଜୋରଜବରଦସ୍ତ ଉଠାଇନେବା ପରେ ବି ପଛକୁ ହଟିନାହାଁନ୍ତି ମୁକ୍ତିକାନ୍ତ । ତାଙ୍କର ଏକା ଜିଦ୍, ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଉରକେଲାବାସୀଙ୍କୁ ସେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇବେ । ଆଉ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ନକରିବା ଯାଏଁ ଅନଶନ ଜାରି ରଖିବେ । ଏରପିକି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯେଉଁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପୂରଣ କରନ୍ତୁ ବୋଲି ମୁକ୍ତିକାନ୍ତ ଦାବି କରିଛନ୍ତି ।

ରାଉରକେଲାରୁ ଦିଲ୍ଲୀ, ୧୬ ଶହ କିଲୋମିଟର ଚାଲି ଚାଲି ଆସିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ନମିଳିବାରୁ ଅନଶନରେ ବସିଥିଲେ ମୁକ୍ତିକାନ୍ତ । ହେଲେ ରବିବାର ରାତିରେ ପୋଲିସ ତାଙ୍କୁ ଅନଶନସ୍ଥଳରୁ ଉଠାଇନେଇଥିଲା । ମେଡିକାଲ୍ ଚେକ୍ ଅପ୍ ପରେ ରାମଲୀଳା ମୈଦାନରେ ଛାଡିଦେଇଥିଲା । ଏବେ ସେଠାରେ ରହି ଅନଶନ ଜାରି ରଖିବେ ବୋଲି କହିଛନ୍ତି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ । ଅନ୍ୟପଟେ ଟ୍ୱିଟ୍ କରି ମୁକ୍ତିକାନ୍ତଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଟ୍ୱିଟରେ ନରସିଂହ ଲେଖିଛନ୍ତି, ଏକ ମହତ ଉଦ୍ଦେଶ୍ୟ ନେଇ ଆସିଥିବା ମୁକ୍ତିକାନ୍ତଙ୍କ ସ୍ୱରକୁ ପୋଲିସ ଲଗାଇ ଚପାଇବାକୁ ଉଦ୍ୟମ ନକରି ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବା ଉଚିତ ।

ଏହାରି ଭିତରେ ମୁକ୍ତିକାନ୍ତଙ୍କ ସମର୍ଥନରେ ଅନଶନ ଆରମ୍ଭ କରିଛି ରାଉରକେଲା ଯୁବ ଜାଗୃତି ମଂଚ । ପ୍ରତିଦିନ ନିଜ ଶରୀରର ରକ୍ତ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବେ ବୋଲି ମଂଚ ଘୋଷଣା କରିଛି ।ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ହୃଦୟ ତରଳିବ ଓ ନିଶ୍ଚିତ ଭାବରେ ମୁକ୍ତିକାନ୍ତଙ୍କୁ ଦେଖା କରିବେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଉ ପ୍ରତିଶ୍ରୁତିର ୩ ବର୍ଷ ପରେ ତାହା ପୂରଣ ନହେବାରୁ ମୋଦିଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇବାକୁ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଆସିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ ।