ରାଉରକେଲା ପାଇଁ ରକ୍ତ ! ମୁକ୍ତିକାନ୍ତଙ୍କ ସମର୍ଥନରେ ବାହାରିଲା ଯୁବ ଜାଗୃତି ମଂଚ, ପ୍ରତିଦିନ ନିଜ ରକ୍ତ ପିଏମଓକୁ ପଠାଇବାକୁ ଘୋଷଣା କଲେ ମଂଚର ଆବାହକ

43

କନକ ବ୍ୟୁରୋ: ରାଉରକେଲା ପାଇଁ ମୁକ୍ତିକାନ୍ତ ବିଶ୍ୱାଳ ଚଳାଇଥିବା ଆନ୍ଦୋଳନ ସପକ୍ଷରେ ବାହାରିଛି ସ୍ଥାନୀୟ ଯୁବ ଜାଗୃତି ମଂଚ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ନକରିବା ଯାଏଁ ଦିଲ୍ଲୀରେ ଅନଶନ ଜାରି ରଖିବେ ବୋଲି କହିଛନ୍ତି ମୁକ୍ତିକାନ୍ତ । ଆଉ ଏପଟେ ମୁକ୍ତିକାନ୍ତଙ୍କ ସମର୍ଥନରେ ଅନଶନ ଆରମ୍ଭ କରିଛି ରାଉରକେଲା ଯୁବ ଜାଗୃତି ମଂଚ । ପ୍ରତିଦିନ ନିଜ ଶରୀରର ରକ୍ତ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବେ ବୋଲି ମଂଚର ଆବାହକ ଗୋପାଳ ଜେନା ଘୋଷଣା କରିଛି ।

ଉଲ୍ଲେଖ ଥାଉ କି,ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତିର ୩ ବର୍ଷ ପରେ ଏହା ପୂରଣ ନହେବାରୁ ମୋଦିଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇବାକୁ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଆସିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ଏପରିକି ରବିବାରଦିନ ମୁକ୍ତିକାନ୍ତ ବିଶ୍ୱାଳ ଯନ୍ତରମନ୍ତରରେ ଅନଶନ କରୁଥିବାବେଳେ ଦିଲ୍ଲୀ ପୋଲିସ ତାଙ୍କୁ ଉଠାଇନେଇ ପରେ ଛାଡିଦେଇଥିଲା । ତଥାପି ଅନଶନ ଜିଦରେ ଅଟଳ ରହିଛନ୍ତି ମୁକ୍ତିକାନ୍ତ ।

ଦିଲ୍ଲୀରେ ମୁକ୍ତିକାନ୍ତଙ୍କ ଅନଶନ ଚଳାଇଥିବା ବେଳେ ତାଙ୍କୁ ସମର୍ଥନ କରି ରାଉରକେଲାର ବିଭିନ୍ନ ସାମାଜିକ ଓ ଯୁବ ସଂଗଠନ ଏଠାରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଯୁବ ଜାଗୃତି ମଞ୍ଚର ଆବାହକ ଗୋପାଳ ଜେନା ସ୍ଥାନୀୟ ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ  ଅନଶନ ଆରମ୍ଭ କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦୈନିକ ୧୦ ମିଲି ଲିଟର ରକ୍ତ ପଠାଇବାକୁ ଯେଉଁ ଘୋଷଣା କରିଥିଲେ, ତାହାକୁ ମଧ୍ୟ ଆରମ୍ଭ କରିଛନ୍ତି। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ମୁକ୍ତିକାନ୍ତଙ୍କୁ ନୈତିକ ସମର୍ଥନ ଜ୍ଞାପନ ଉଦ୍ଦେଶ୍ୟରେ ରାଉରକେଲା ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରୁ ବାଇକ୍‌ ପଟୁଆରରେ ଆସି ଅତିରିକ୍ତ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ସ୍ମାରକପତ୍ର ଦେଇଥିଲେ। ମୁକ୍ତିକାନ୍ତଙ୍କୁ ସମର୍ଥନ କରି ସେଣ୍ଟର୍‌ ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍ସ (ସିଟୁ) କର୍ମକର୍ତ୍ତାମାନେ ମଧ୍ୟ ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।