ଅନଶନର ଦ୍ୱିତୀୟ ଦିନରେ ଅସୁସ୍ଥ ହୋଇପଡିଲେ ମୁକ୍ତିକାନ୍ତ: ଦିଲ୍ଲୀର ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି, ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପାଇଁ ବସିଥିଲେ ଅନଶନରେ

22

କନକ ବ୍ୟୁରୋ: ରାଉରକେଲାର ସ୍ୱାର୍ଥ ପାଇଁ ଲଢେଇ କରୁଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତି କରାଯାଇଛି । ମୁକ୍ତିକାନ୍ତ ହସ୍ପିଟାଲର ଆଶୁଚିକିତ୍ସା ବିଭାଗର ବେଡ ନମ୍ବର ୯ରେ ଚିକିତ୍ସିତ ହେଉଛନ୍ତି । ଏକ ଡାକ୍ତରୀଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ମୁକ୍ତିକାନ୍ତଙ୍କୁ ଏବେ ସାଲାଇନ ଦିଆଯାଇଛି ।

ମୁୁକ୍ତିକାନ୍ତ କହିଛନ୍ତି ଯେ, ତିନିଦିନର ଅନଶନରେ ତାଙ୍କ ଶରୀର ଦୁର୍ବଳ ହୋଇଯାଇଛି । ତଥାପି ସେ ହାର ମାନିନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଡାକରାକୁ ଏବେ ମଧ୍ୟ ଅପେକ୍ଷା କରିଥିବା କହିଛନ୍ତି । ଅନଶନର ତୃତୀୟ ଦିବସରରେ ମୁକ୍ତିକାନ୍ତଙ୍କ ଶରୀରର ଓଜନ କମିଯାଇଛି । ତାଙ୍କ ସ୍ୱର କ୍ଷିଣ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସେ ଆଶାବାଦୀ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ଦେଶର ପୁଞ୍ଜିପତି, ଶିଳ୍ପପତି, ଏବଂ ସିନେତାରକାଙ୍କୁ ପ୍ରଧାନମନ୍ତ୍ରୀ ଯେପରି ସମୟ ଦେଉଛନ୍ତି, ଠିକ୍ ସେଭଳି ମୋତେ ସାଧାରଣ ଜନତା ଭଳି ଭେଟିବାକୁ ପଡିବ ବୋଲି କହିଛନ୍ତି ମୁକ୍ତିକାନ୍ତ ।

ସେପଟେ, ମୁକ୍ତିକାନ୍ତଙ୍କୁ ସମର୍ଥନ କରି ରାଉରକେଲାର ବିଭିନ୍ନ ସାମାଜିକ ଓ ଯୁବ ସଂଗଠନ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଯୁବ ଜାଗୃତି ମଞ୍ଚର ଆବାହକ ଗୋପାଳ ଜେନା ସ୍ଥାନୀୟ ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଅନଶନ ଆରମ୍ଭ କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦୈନିକ ୧୦ ମିଲି ଲିଟର ରକ୍ତ ପଠାଇବାକୁ ଯେଉଁ ଘୋଷଣା କରିଥିଲେ, ତାହାକୁ ମଧ୍ୟ ଆରମ୍ଭ କରିଛନ୍ତି। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।