ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ନୋହିଲା- ଦିଲ୍ଲୀରୁ ଫେରିଲେ ମୁକ୍ତିକାନ୍ତ ବିଶ୍ୱାଳ ! ରେଳ ଷ୍ଟେସନରୁ ଶୋଭାଯାତ୍ରାରେ ପାଛୋଟି ନେଲେ ରାଉରକେଲା ବାସିନ୍ଦା

39

କନକ ବ୍ୟୁରୋ: ରାଉରକେଲାର ସ୍ୱାର୍ଥ ପାଇଁ ଦିଲ୍ଲୀରେ ଲଢେଇ କରୁଥିବା ମୁକ୍ତିକାନ୍ତ ବିଶ୍ୱାଳ ଆଜି ରାଉରକେଲା ଫେରିଆସିଛନ୍ତି । ରାଉରକେଲାରେ ପଂହଚିବା ପରେ ରେଳଷ୍ଟେସନରୁ ଏକ ଶୋଭାଯାତ୍ରାରେ ମୁକ୍ତିକାନ୍ତଙ୍କୁ ନିଆଯାଇଥିଲା । ଦିଲ୍ଲୀରେ ମୁକ୍ତିକାନ୍ତ ଗତ ବୁଧବାରଦିନ ନିଜ ଅନଶନ ଭାଙ୍ଗିଥିଲେ । ରବିବାରଠାରୁ ମୁକ୍ତିକାନ୍ତ ଦିଲ୍ଲୀ ଯନ୍ତରମନ୍ତରରେ ଅନଶନରେ ବସିଥିଲେ ।

ରାଉରକେଲା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୃତିକୁ ମନେପକାଇବା ଲାଗି ମୁକ୍ତିକାନ୍ତ ପଦଯାତ୍ରା କରି ଦିଲ୍ଲୀ ଯାଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ଅନୁମତି ମିଳିନଥିଲା । ଏହା ପରେ ସେ ଯନ୍ତରମନ୍ତରରେ ଅନଶନ କରିଥିଲେ । ଏବେ ୮୦ ଦିନ ପରେ ରାଉରକେଲା ଫେରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ସମସ୍ତଙ୍କ ସମର୍ଥନରେ ଆନ୍ଦୋଳନକୁ ଆଗକୁ ବଢାଇବେ ବୋଲି କହିଛନ୍ତି ମୁକ୍ତିକାନ୍ତ ।

 

ଉଲ୍ଲେଖ ଥାଉ କି, ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍)କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ୍ କଲେଜରେ ରୂପାନ୍ତର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତିକୁ ତାଙ୍କୁ ସ୍ମରଣ କରାଇବା ଲକ୍ଷ୍ୟରେ ଗତ ଏପ୍ରିଲ୍ ୧୬ରେ ମୁକ୍ତିକାନ୍ତ ଏଠାରୁ ପଦଯାତ୍ରା ଆରମ୍ଭ କରି ୭୧ ଦିନରେ ଦିଲ୍ଲୀ ପହଞ୍ଚିଥିଲେ।