ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ମିଳିଲାନି ସୁଯୋଗ ! ଅନୁମତି ନ ମିଳିବା ସତ୍ୱେ ଯନ୍ତରମନ୍ତରରେ ଅନଶନ ଜିଦରେ ମୁକ୍ତିକାନ୍ତ ବିଶ୍ୱାଳ ଅଟଳ

44

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସୁଯୋଗ ନମିଳିବା ଯାଏ ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନରେ ବସିବାକୁ ସଂସଦ ମାର୍ଗ ଥାନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଲୋଡ଼ିଥିଲେ । ଥାନା କର୍ତ୍ତୃପକ୍ଷ ଗତକାଲି ତାଙ୍କୁ ଆବେଦନର ନକଲ ଦେଇଥିଲେ ମଧ୍ୟ ଅନୁମତି ଦେବାକୁ ମନା କରିଛନ୍ତି । ଅପର ପକ୍ଷରେ ରାଉରକେଲାରୁ ୧୫୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପହଞ୍ଚିଥିବା ମୁକ୍ତିକାନ୍ତ ଅନଶନରେ ବସିଲେ ସ୍ୱାସ୍ଥ୍ୟାବସ୍ଥାରେ ଅଧିକ ଅବନତି ଘଟିବ ବୋଲି ଡାକ୍ତରମାନେ ତାଙ୍କୁ ସତର୍କ କରାଇଛନ୍ତି।

ଏହା ସତ୍ତ୍ୱେ ସେ ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳୁ ଯନ୍ତରମନ୍ତରରେ ଅନଶନ ଆରମ୍ଭ କରିବେ ବୋଲି ମୁକ୍ତିକାନ୍ତ କହିଛନ୍ତି। ସେ କହିଛନ୍ତି କି, ଯନ୍ତରମନ୍ତରରେ ଅନଶନ କରିବାକୁ ସଂସଦ ମାର୍ଗ ଥାନା କର୍ତ୍ତୃପକ୍ଷ ମନା କରିବା ପରେ ରାମଲୀଲା ମୈଦାନରେ ଅନଶନ କରିବାକୁ ମୁକ୍ତିକାନ୍ତ ସ୍ଥାନୀୟ ଥାନାରେ ଆବେଦନ କରିଥିଲେ। ମାତ୍ର ଥାନା କର୍ତ୍ତୃପକ୍ଷ ତାହାକୁ ଅଗ୍ରାହ୍ୟ କରିଛନ୍ତି। ତେଣୁ ଅନୁମତି ମିଳି ନଥିଲେ ମଧ୍ୟ ସେ ଯନ୍ତରମନ୍ତରରେ ଅନଶନ ଆରମ୍ଭ କରିବେ। ଅନୁମତି ବିନା ଅନଶନ ଓ ଧାରଣା ବେଆଇନ। ତେଣୁ ହୁଏତ ଅନଶନ ଆରମ୍ଭ ମାତ୍ରେ ମୁକ୍ତିକାନ୍ତଙ୍କୁ ପୁଲିସ୍ ଉଠାଇନେବା ଆଶଙ୍କା ରହିଛି।

ଉଳ୍ଲେଖ ଯୋଗ୍ୟ, ବ୍ରାହ୍ମଣୀ ପୋଲ ଓ ରାଉରକେଲା ଆଇଜିଏଚ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଅଡି ବସିଛନ୍ତି ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନହେଲେ ଅନଶନ କରିବେ ବୋଲି ସେ ପୂର୍ବରୁ ଚେତାବନୀ ଦେଇଥିଲେ । ଏପଟେ ମୁକ୍ତିକାନ୍ତଙ୍କ ପାଇଁ ପ୍ରଥମ ଥର ସାମ୍ନାକୁ ଆସିଥିଲା ବିଜେଡି । ବିଜେଡି କହିଛି କି, ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟେ, ସେଥିପାଇଁ ବିଜେପି ଦାୟୀ ରହିବ । ସେହିପରି ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ସୋସିଆଲ ମିଡିଆରେ ମୁକ୍ତିକାନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ରାଉରକେଲାର ଏହି ଯୁବକଙ୍କୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ସରଗରମ ହୋଇଛି ରାଜନୀତି । ମୋଦି ଓ ତାଙ୍କ ମନ୍ତ୍ରୀଙ୍କ ଚିନ୍ତା ବଢାଇ ଦେଇଛନ୍ତି ମୁକ୍ତିକାନ୍ତ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ଓ ରାଉରକେଲା ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହା ପୂରଣ ନହେବାରୁ ପାଖାପାଖି ୧୬୦୦ କିଲୋମିଟର ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଦିଲ୍ଲୀରେ ପହଁଚିଛନ୍ତି ମୁକ୍ତିକାନ୍ତ ।