ମୁକ୍ତିକାନ୍ତ ବଢାଇଲେ ମୋଦି ସରକାରଙ୍କ ଟେନସନ୍ ! ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍, ନହେଲେ ଅନଶନ ଧମକ ।

33

କନକ ବ୍ୟୁରୋ : ରାଉରକେଲାରୁ ପାଦରେ ଚାଲି ଚାଲି ଦିଲ୍ଲୀରେ ପହଁଚିଥିବା ମୁକ୍ତିକାନ୍ତ ବିଶ୍ୱାଳ, ଏବେ ମୋଦି ସରକାରଙ୍କ ମୁଣ୍ଡ ବିନ୍ଧା ବଢାଇ ଦେଇଛନ୍ତି । ବ୍ରାହ୍ମଣୀ ପୋଲ ଓ ରାଉରକେଲା ଆଇଜିଏଚ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଅଡି ବସିଛନ୍ତି ମୁକ୍ତିକାନ୍ତ । ଦୁଇ-ତିନି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନହେଲେ ଅନଶନ କରିବେ ବୋଲି ସେ କହିଛନ୍ତି । ଏପଟେ ମୁକ୍ତିକାନ୍ତଙ୍କ ପାଇଁ ପ୍ରଥମ ଥର ସାମ୍ନାକୁ ଆସିଛି ବିଜେଡି । ବିଜେଡି ମୁଖପାତ୍ର କହିଛନ୍ତି, ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟେ, ସେଥିପାଇଁ ବିଜେପି ଦାୟୀ ରହିବ । ସେହିପରି ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ସୋସିଆଲ ମିଡିଆରେ ମୁକ୍ତିକାନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ରାଉରକେଲାର ଏହି ଯୁବକଙ୍କୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ସରଗରମ ହୋଇଛି ରାଜନୀତି । ମୋଦି ଓ ତାଙ୍କ ମନ୍ତ୍ରୀଙ୍କ ଚିନ୍ତା ବଢାଇ ଦେଇଛନ୍ତି ମୁକ୍ତିକାନ୍ତ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ଓ ରାଉରକେଲା ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହା ପୂରଣ ନହେବାରୁ ପାଖାପାଖି ୧୬୦୦ କିଲୋମିଟର ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଦିଲ୍ଲୀରେ ପହଁଚିଛନ୍ତି ମୁକ୍ତିକାନ୍ତ ।

ତେବେ ମୁକ୍ତିକାନ୍ତଙ୍କ ସଂପର୍କରେ ପ୍ରଥମ ଥର ସାମନାକୁ ଆସିଛି ବିଜେଡି । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି କହିଛି, ମୁକ୍ତିକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେଲେ, ସେଥିପାଇଁ ଦାୟି ରହିବ ବିଜେପି । ସେପଟେ ମୁକ୍ତିକାନ୍ତଙ୍କ ସପକ୍ଷରେ ବାହାରିଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ଉଭୟ ଟୁଇଟର ଓ ଫେସବୁକରେ ମୁକ୍ତିକାନ୍ତଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ପ୍ରାୟୋଜିତ କହୁଥିବା ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀପ । ସେ କହିଛନ୍ତି କାହାକୁ ଟଙ୍କା ଦେଇ ଏତେ ବାଟ ପଦଯାତ୍ରା କରାଇବା ଅସମ୍ଭବ । ରାହୁଲ ଗାନ୍ଧୀଙ୍କ ଇସାରାରେ ପଦଯାତ୍ରା ହୋଇଥିବା ନେଇ ଗତକାଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ମୁକ୍ତିକାନ୍ତଙ୍କୁ ନେଇ ରାଜନୀତି ଘନଉଥିବା ବେଳେ ମୋଦି ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ମିଳିଯାଇଛି ଆଉ ଏକ ଅସ୍ତ୍ର । ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରୁନାହାନ୍ତି ବୋଲି ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି, ତାର ଆଉ ଏକ ପ୍ରତୀକ ପାଲଟି ଯାଇଛନ୍ତି ମୁକ୍ତିକାନ୍ତ ।