ରାଉରକେଲା କଂଗ୍ରେସକୁ ଝଟକା । ନିର୍ବାଚନ ଲଢ଼ିବାକୁ ମନା କରିଦେଲେ ମୁକ୍ତିକାନ୍ତ ବିଶ୍ୱାଳ ।

548

କନକ ବ୍ୟୁରୋ: ନିର୍ବାଚନ ଲଢ଼ଇବାକୁ ମନାକଲେ ମୁକ୍ତିକାନ୍ତ ବିଶ୍ୱାଳ । ଗତକାଲି ରାତିଅଧିଆ କଂଗ୍ରେସର ୫୪ ବିଧାନସଭା ପ୍ରାର୍ଥୀ ତାଲିକାରେ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଟିକେଟ୍ ଦେଇଥିଲା ଦଳ । କିନ୍ତୁ ସ୍ଥାନୀୟ କଂଗ୍ରେସ ଶିବିରରେ ପ୍ରତିବାଦର ସ୍ୱର ତେଜିବାରେ ଲାଗିଥିବାରୁ କଂଗ୍ରେସ ଟିକେଟକୁ ପ୍ରତ୍ୟାଖାନ କରିଛନ୍ତି ମୁକ୍ତିକାନ୍ତ ।

ଏନେଇ ମୁକ୍ତିକାନ୍ତ କହିଛନ୍ତି ଯେ, ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ମଧ୍ୟ ନେଇନାହାନ୍ତି କିମ୍ବା ଟିକେଟ ପାଇଁ ଆବେଦନ କରିନଥିଲେ । ସକାଳୁ ଏବାବଦରେ ଜାଣିବାକୁ ପାଇଥିଲେ । ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖି ଅବଗତ କରାଇବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁକ୍ତିକାନ୍ତଙ୍କ ପ୍ରାର୍ଥୀତ୍ବକୁ ଦଳ ଭିତରୁ ପ୍ରବଳ ବିରୋଧ ହେବାରୁ ପଛଘୁଞ୍ଚା ଦେଲେ କି ପ୍ରଶ୍ନରେ କହିଛନ୍ତି ମୁଁ କିଛି ଜାଣିନାହିଁ।

ସେପଟେ ମୁକ୍ତିକାନ୍ତଙ୍କୁ ଟିକେଟ୍ ଦେବାପରେ ରାଉରକେଲା ଉଦିତ୍ ନଗରସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଜିଲ୍ଲା କଂଗ୍ରେସ ନେତା ଓ କର୍ମୀମାନେ ମେଳିକରି ନିଷ୍ପତି ନେଇଥିଲେ ଯେ, ତୁରନ୍ତ ଏହାର ପୁର୍ନବିଚାର ନକରାଗଲେ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ । ରାଉରକେଲା ଆସନ ପାଇଁ କଂଗ୍ରେସ ଦଳରୁ ଟିକେଟ୍ ପାଇବାକୁ ପ୍ରମୁଖ ଦାବିଦାର ତାଲିକାରେ ରହିଛନ୍ତି ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ବିରେନ୍ ସେନାପତି, ରାଜ୍ୟ କଂଗ୍ରେସ ସଂପାଦକ ରଶ୍ମି ପାଢ଼ୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ।