୫୦ ଦିନର ପଦଯାତ୍ରା ପରେ ମୁକ୍ତିକାନ୍ତ ପହଞ୍ଚିଲେ ଦିଲ୍ଲୀରେ : ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଆଜି କରିବେ ଆବେଦନ

51

କନକ ବ୍ୟୁରୋ : ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସ୍ଥାନୀୟ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ୭୦ ଦିନ ପରେ ଦିଲ୍ଲୀରେ ପହଁଚିଛନ୍ତି । ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଆବେଦନ କରିବେ । କିଛିଦିନ ଧରି ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି କଥା ମନେପକେଇ ଦେବା ପାଇଁ ରାଉରକେଲାରୁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଥିଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ । ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିଲା ମୁକ୍ତିକାନ୍ତଙ୍କ ଦିଲ୍ଲୀ ଚଲୋ ଅଭିଯାନ । ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକେଇଦେବା ।

୨୦୧୫ ଏପ୍ରିଲ ୧ ତାରିଖରେ ଷ୍ଟିଲ ସିଟିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ହେବା ପରେ ରାଉରକେଲା ବାସୀଙ୍କ ପାଇଁ ଉପହାର ଆଣିଦେଇଥିଲେ । ରାଉରକେଲାର ଲାଇଫଲାଇନ୍ କୁହାଯାଉଥିବା ବ୍ରାହ୍ମଣୀ ବ୍ରିଜର ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ମେଡ଼ିକାଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ବେଶ୍ କିଛି ଦିନ ବିତିଯାଇଥିଲେ ହେଁ ମୋଦି ପ୍ରତିଶ୍ରୁତି ପାଳନ କରିନଥିଲେ । ଆଉ ଏଥିପାଇଁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଥିଲେ ମୁକ୍ତିକାନ୍ତ । ତେବେ ମୁକ୍ତିକାନ୍ତଙ୍କ ଦିଲ୍ଲୀ ଅଭିଯାନ ନେଇ ରାଜନୀତି ମଧ୍ୟ ବେଶ୍ କିଛି ଦିନ ସରଗରମ ରହିଥିଲା । ଆଉ ମୁକ୍ତିକାନ୍ତଙ୍କ ଏହି ଦିଲ୍ଲୀ ଚଲୋ ଅଭିଯାନକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ମୋଦି ସରକାରକୁ ଏହା ଭିତରେ ୪ବର୍ଷ ବିତିଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ବି ପ୍ରତିଶ୍ରୁତି ପାଳନ ହୋଇନାହିଁ । ଚଳିତ ବର୍ଷ ଏପ୍ରିଲ ୧୬ ତାରିଖରୁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିଲେ ମୁକ୍ତିକାନ୍ତ । ହାତରେ ତିରଙ୍ଗା ଧରି ଓଡିଶାରୁ ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିଆଣା ଆଦି ବିଭିନ୍ନ ରାଜ୍ୟ ଦେଇ ସେ ଦୀର୍ଘ ୧୫୩୫ କିଲୋମିଟର ବାଟ ଅତିକ୍ରମ କରିଛନ୍ତି । ସେ ଗତକାଲି ଦିଲ୍ଳୀରେ ପହଁଚିଥିବାବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଠାରୁ ଆଉ ମାତ୍ର ୧୫କିଲୋମିଟର ଦୂରରେ ଅଛନ୍ତି । ସେ କହିଛନ୍ତି ସାକ୍ଷାତ ନକରିବା ଯାଏ ଦିଲ୍ଲୀରେ ପଡିରହିବେ ।