ଆଜି ଓଡିଶା ଆସୁଛନ୍ତି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ମେକ୍ ଇନ ଓଡିଶା କନକ୍ଲେଭରେ ଯୋଗ ଦେବା ସହ କରିବେ ମହାପ୍ରଭୁଙ୍କ ଦର୍ଶନ

ଦେବେ ଝିଅ ବାହାଘର ନିମନ୍ତ୍ରଣପତ୍ର

99

କନକ ବ୍ୟୁରୋ: ଭାରତର ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଆଜି ପୁରୀ ଆସୁଛନ୍ତି। ଶ୍ରୀ ଅମ୍ବାନୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାଖାପାଖି ଦୁଇ ଘଣ୍ଟା ପୁରୀରେ ବିତାଇବେ। ଏହି ଅବସରରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜ ଝିଅ ବାହାଘର ପାଇଁ ନିମନ୍ତ୍ରଣପତ୍ର ଦେବେ ବୋଲି ଜଣାପଡିଛି। ତେବେ ଅମ୍ବାନୀ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ, ଗର୍ଭଗୃହକୁ ଯିବେ ନାହିଁ। ଏ ସଂପର୍କରେ ରିଲାଏନ୍ସ କଂପାନି ପକ୍ଷରୁ ପୁଲିସକୁ ସୁରକ୍ଷା ମଗାଯାଇଛି।

ଅମ୍ବାନୀଙ୍କ ଦର୍ଶନ କିଭଳି ଶୃଙ୍ଖଳିତ ହେବ ସେ ନେଇ ପୁରୀ ଜିଲ୍ଲାପାଳ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ମନ୍ଦିର ପ୍ରଶାସନ ମଧ୍ୟ ଏଥି ପାଇଁ ପ୍ରସ୍ତୁତ ଥିବା କହିଛି। ସେପଟେ ମୁକେଶଙ୍କ ଗସ୍ତକୁ ନେଇ ପୁଲିସ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଗତକାଲି ପୁଲିସ ପକ୍ଷରୁ ତାଳବଣିଆ ହେଲିପ୍ୟାଡ୍ରେ ଟ୍ରାଏଲ୍ ଲ୍ୟାଣ୍ଡିଂ ବ୍ୟବସ୍ଥା ହୋଇଥିବା ବେଳେ କାର୍ କେଡ୍ ବ୍ୟବସ୍ଥା କରାଯାଇଛି। ଆଜି ପୂର୍ବାହ୍ନରେ ମୁକେଶ ଭୁବନେଶ୍ବରଠାରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ କାର‌୍ୟ୍ୟକ୍ରମ ସାରି ଅପରାହ୍ନରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ମୁକେଶଙ୍କ ସହିତ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ମଧ୍ୟ ପୁରୀ ଆସୁଛନ୍ତି।

ସୂଚନାଯୋଗ୍ୟ, ଝିଅ ଇଶା ଅମ୍ବାନୀଙ୍କ ବାହାଘର ପାଇଁ ପୂର୍ବରୁ ମୁକେଶ କେଦାରନାଥ ଓ ବଦ୍ରିନାଥ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କୁ ନିମନ୍ତ୍ରଣପତ୍ର ଦେଇଛନ୍ତି। ବଦ୍ରିନାଥ ଓ କେଦାରନାଥ ଦର୍ଶନ ବେଳେ ସେ ନଗଦ ଅର୍ଥ ଓ ଉପହାର ସେଠାକାର ମନ୍ଦିର ପରିଚାଳନା କମିଟିକୁ ଦାନ କରିଥିଲେ। ଏ ଦୃଷ୍ଟିରୁ ମୁକେଶ ଶ୍ରୀମନ୍ଦିରକୁ ଏକ ବଡ ଅଙ୍କ ଦାନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ମୁକେଶଙ୍କୁ ଆତିଥେୟତା ଦେବା ପାଇଁ ମନ୍ଦିର ପ୍ରଶାସନ ସବୁପ୍ରକାର ବନ୍ଦୋବସ୍ତ କରିଛି।