ଆରମ୍ଭ ହେଲା ଜିଓ ଜମାନା : ୨୦୧୬ ଶେଷ ଯାଏଁ ଉପଭୋକ୍ତାଙ୍କ ପାଇଁ ମାଗଣା ପ୍ଲାନ୍

61

କନକ ବ୍ୟୁରୋ : ଦେଶର ଟେଲିକମ କ୍ଷେତ୍ରରେ ସବୁଠାରୁ ବଡ ବିପ୍ଳବ। ବିଶ୍ୱର ସବୁଠାରୁ ଶସ୍ତା ପ୍ଲାନ ଦେଇଛି ମୁକେଶ ଅମ୍ବାନୀଙ୍କ ରିଲାଏନସ ଜିଓ । ମୁକେଶ ଅମ୍ବାନୀ ଆଜି ବହୁ ପ୍ରତୀକ୍ଷିତ ଟାରିଫ ଆଉ ଡାଟା ପ୍ଲାନ ନେଇ ସୂଚନା ଦେଇଛନ୍ତି । ଏହା ସାରା ଭାରତରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଭାରତୀୟ ଟେଲିକମ ୟୁଜର୍ସଙ୍କୁ ସବୁଠାରୁ ବଡ ଉପହାର ଦେଇଛି ରିଲାଏନସ ।

କଂପାନୀର ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନୀ କହିଛନ୍ତି, ମାର୍ଚ୍ଚ ୨୦୧୭ ସୁଦ୍ଧା ଦେଶରେ ୧. ୨୫ ବିଲିୟନ ଅର୍ଥାତ ୧୨୫ କୋଟି ଭାରତୀୟଙ୍କୁ ମୋବାଇଲ ନେଟୱାର୍କ ଭିତରକୁ ଆଣିବାକୁ ଲକ୍ଷ୍ୟ ରଖିଛି ରିଲାଏନସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଚିନ୍ତାଧାରା ପାଇଁ ଜିଓକୁ ଉତ୍ସର୍ଗ କରାଯାଇଥିବା କହିଛନ୍ତି ମୁକେଶ ଅମ୍ବାନୀ ।

ସେପ୍ଟେମ୍ବର ୫ରୁ ସମସ୍ତଙ୍କ ପାଇଁ ଏହି ରିଲାଏନସ ଜିଓ ଉପଲବ୍ଧ ହେବ ଏବଂ ୨୦୧୬ ଶେଷ ଯାଏଁ ଜିଓ ମାଗଣା ସେବା ଯୋଗାଇବ ବୋଲି ସେ କହିଛନ୍ତି । ୨୦୧୭ ଆରମ୍ଭରୁ ଡାଟା ବାବଦରେ ଅର୍ଥ ଦେବାକୁ ପଡିବ ଏବଂ ଏହା ଅନ୍ୟ କଂପାନୀଙ୍କ ତୁଳନାରେ ବେଶ୍ କମ ରହିବ। ସେହିପରି ବିନା ଟଙ୍କା ଖର୍ଚ୍ଚ କରି ଆପଣ ଭଏସ କଲ କରିପାରିବେ ବୋଲି କହିଛନ୍ତି ମୁକେଶ । ଦେଶ ଭିତରେ ଜିଓ ରୋମିଂ ଫ୍ରି ବ୍ୟବସ୍ଥା ଯୋଗାଇବ ବୋଲି ସେ ସୂଚନା ଦେଇଛନ୍ତି।