ଜଗନ୍ନାଥଙ୍କ ପାଖରେ କାନ୍ଦି ପକାଇଲେ ମୁକେଶ ଅମ୍ବାନୀ, ଜାଣନ୍ତୁ ଭିତରକାଠ ନିକଟରେ ସେଇ ୭ ମିନିଟର କାହାଣୀ ।

2,897

କନକ ବ୍ୟୁରୋ : ମେକ ଇନ ଓଡିଶା କନକ୍ଲେଭରେ ଯୋଗ ଦେବା ପରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ସିଂହଦ୍ୱାର, ବାଇଶି ପାହାଚ ଓ ସାତ ପାହାଚ ଦେଇ ଭିତର କାଠ ନିକଟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ଖଣ୍ଡୁଆ ପାଟ ଦେଇ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରାଯାଇଥିଲା ।

ମୁକେଶ, ମହାପ୍ରଭୁଙ୍କୁ ନିଜ ଝିଅ ଈଶା ଅମ୍ବାନୀଙ୍କ ବାହାଘର ନିମନ୍ତ୍ରଣ ଦେଇଛନ୍ତି । ଗୁଆ, ନଡିଆ, ଚାଉଳ, ପାନ ସଜା ହୋଇଥିବା ଥାଳି ଧରି ପୂରା ବିଧିବିଧାନ ହିସାବରେ ମହାପ୍ରଭୁଙ୍କୁ ନିଜ ଝିଅର ବାହାଘର ନିମନ୍ତ୍ରଣ ଦେଇଛନ୍ତି ଦେଶର ସବୁଠୁ ବଡ ଧନୀ । ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଆସିଥିବା ମୁକେଶ ମନ୍ଦିର ପରିସରରେ ପ୍ରାୟ ୭ରୁ ୧୦ ମିନିଟ ବିତାଇଥିଲେ । ଭିତରକାଠ ନିଟକରୁ ଜଗନ୍ନାଥଙ୍କୁ ପାଖରୁ ଦେଖି କାନ୍ଦି ପକାଇଥିଲେ ଅମ୍ବାନୀ । ଅତି ଭାବବିହ୍ୱଳ ହୋଇ ଜଗନ୍ନାଥଙ୍କୁ ସେ ଦର୍ଶନ କରିଥିଲେ ।

ଏହା ପରେ ଲକ୍ଷ୍ମୀଙ୍କ ମନ୍ଦିରରେ କିଛି ସମୟ ରହିଥିଲେ । ପରେ ପର୍ଯ୍ୟଟକ ଖାତାରେ ଦସ୍ତଖତ କରି କୌଳିକ ପଣ୍ଡାଙ୍କୁ ପ୍ରଣାମ କରିଥିଲେ । ଫେରିବା ବେଳେ ପାଳିଆ ସେବାୟତ ଓ କୌଳିକ ପଣ୍ଡାଙ୍କୁ ବନ୍ଦ ଲଫାପାରେ ପ୍ରଣାମି ଦେଇଥିଲେ ମୁକେଶ । ଜଗନ୍ନାଥଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି ମୁକେଶ । ଜଗନ୍ନାଥଙ୍କୁ ଦର୍ଶନ କରିବା ପୂର୍ବରୁ ମୁକେଶ ଝିଅ ବାହାଘର ପାଇଁ ବଦ୍ରିନାଥ ଓ କେଦାରନାଥ ଦର୍ଶନ ମଧ୍ୟ କରି ସାରିଛନ୍ତି । ଏହା ପୂର୍ବରୁ ତାଙ୍କ ବାପା ଧୀରୁ ଭାଇ ଅମ୍ବାନି ଓ ଭାଇ ଅନୀଲ ଅମ୍ବାନି ଶ୍ରୀମନ୍ଦିରକୁ ଆସି ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ।