ଦାରିଦ୍ର୍ୟତାର କରୁଣ କାହାଣୀ ! ଟିକିଏ ଖାଦ୍ୟ ପାଇଁ ଛଟପଟ ହେଉଛନ୍ତି ଲୋକେ, କାଦୁଅ ତିଆରି ରୁଟି ବଞ୍ଚାଇଛି ଜୀବନ ।

33

ଦେଶରେ ଗରିବ ସୀମାରେଖା ତଳେ ରହୁଥିବା ଲୋକମାନେ ପ୍ରତିଦିନ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସ କରି ଫୁଟପାଥରେ ରହୁଥିବା ଲୋକମାନେ ଗୋଟେ ଓଳି ଖାଇବା ପାଇଁ ବହୁତ ସଂଘର୍ଷ କରିଥାନ୍ତି । ଏପରି ମଧ୍ୟ ଦେଖାଯାଇଛି କି, ଖାଦ୍ୟ ଅଭାବରୁ ଏମାନେ ଡଷ୍ଟବିନରେ ପଡିଥିବା ଅଳିଆରୁ ଖାଦ୍ୟ ସଂଗ୍ରହ କରିଥାନ୍ତି । ସେହିଭଳି ଏକ ଅଭାବନୀୟ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ଟ୍ୱିଟରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଦେଖିଲେ ଆପଣଙ୍କ ଆଖିରୁ ପାଣି ଆସିଯିବ । ହେତି ନାମକ ଏକ ଦେଶରେ ଲୋକମାନେ ଏପରି ଗରିବ ସୀମାରେଖା ତଳେ ରହିଛନ୍ତି କି, ଯେଉଁମାନେ ଖାଦ୍ୟ ଅଭାବରୁ କାଦୁଅରେ ଲୁଣ ମିସାଇ ରୁଟି ତିଆରି କରି ଖାଉଛନ୍ତି ।

ବିରେନ୍ଦ୍ର ସେହୱାଗଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ସଫା ସଫା ଦେଖିବାକୁ ମିଳିଛି ଲୋକମାନେ କେଉଁଭଳି ଭାବରେ ଖାଦ୍ୟ ପାଇଁ ଛଟପଟ ହେଉଛନ୍ତି । ଏଠାକାର ଲୋକମାନେ ମାଟିରେ ପାଣି ଏବଂ ଲୁଣ ମିଶାଇ ଖରାରେ ସୁଖାଇ ରୁଟି ତିଆରି କରିଥାନ୍ତି । ରୁଟି ତିଆରି ହୋଇଯିବା ପରେ କାଦୁଅରେ ତିଆରି ରୁଟିକୁ ଖାଇବା ସହ ଆଉ କିଛିକୁ ସାଇତିକରି ପର ଦିନ ପାଇଁ ରଖିଦେଇଥାନ୍ତି । ଏହି ଭିଡିଓକୁ ସେହୱାଗ ଟ୍ୱିଟରରେ ସେୟାର କରି କହିଛନ୍ତି, ହେତିରେ ଲୋକମାନେ କାଦୁଅରେ ରୁଟି ତିଆରି କରି ଖାଉଛନ୍ତି କିନ୍ତୁ ଏଠାରେ ଲୋକମାନେ ଖାଦ୍ୟକୁ ନଷ୍ଟ କରୁଛନ୍ତି । ଦୟାକରି ଖାଦ୍ୟକୁ ବରବାଦ କରନ୍ତୁ ନାହିଁ । ଏହିଭଳି ଭାବରେ ସେହୱାଗ ଟ୍ୱିଟ ଜରିଆରେ ଲୋକମାନଙ୍କୁ ଖାଦ୍ୟ ନଷ୍ଟ ନକରିବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ହେତିରେ ପ୍ରାୟ ୧ କୋଟି ଜନସଂଖ୍ୟା ରହିଛି । କିନ୍ତୁ ସେଥି ମଧ୍ୟରୁ ପ୍ରାୟ ୩୦ ଲକ୍ଷ ଲୋକ ଖାଦ୍ୟ ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଖାଦ୍ୟ ଅଭାବରୁ ଏଠାକାର ଲୋକ କୁପୋଷଣର ଶିକାର ହେଉଛନ୍ତି । ପ୍ରତିଦିନ ଲୋକ ଖାଇବା ନପାଇ ମୃତ୍ୟୁବରଣ କରୁଛନ୍ତି । ଦିନ ଦିନ ଧରି ଖାଦ୍ୟ ନମିଳିବାରୁ ଏଠାକାର ଲୋକେ କାଦୁଅରେ ରୁଟି ତିଆରି କରି ନିଜ ପେଟ ପୋଷୁଛନ୍ତି ।