ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ‘ମୁଁ ହିରୋ ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : କହିଲେ, ଓଡ଼ିଶା ବୀରମାଟି ଓ ଏମାଟିର ସନ୍ତାନ ମାଟି ପାଇଁ ସଂଗ୍ରାମ କରିଛନ୍ତି

164

କନକ ବ୍ୟୁରୋ : ବିଜୁ ଯୁବ ବାହୀନିକୁ ମିଳିଲା ବଳ । ନିର୍ବାଚନୀ ବର୍ଷରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜୁ ଜନତା ଦଳର ଆଉ ଏକ ଅଭିଯାନ । କଟକରେ ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଆଜିଠାରୁ ସମସ୍ତ ବ୍ଳକ ଓ ପୌରାଂଚଳରେ ବୁଲିବ ମୁଁ ହିରୋ ରଥ । ଉଦ୍ଦେଶ୍ୟ, ଯୁବବର୍ଗଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରି ସମ୍ମାନିତ କରିବା, ହେଲେ ବିଜେଡିର ଏହି ଅଭିଯାନରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବିଜେଡି ସରକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବିଜୁ ଯୁବ ବାହିନୀର ଅଂଶ ଭାବରେ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜସ୍ୱ ଉଦ୍ୟମରେ ସାମାଜିକ ପରିବର୍ତନ ଆଣିଥିବା ଯୁବକ, ଯୁବତୀଙ୍କୁ ସମ୍ମାନିତ କରିବା ଲାଗି ଏଭଳି ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ ।

‘ମୁଁ ହିରୋ ମୁଁ ଓଡ଼ିଶା’
– ଓଡ଼ିଶା ସରକାରଙ୍କ ‘ବିଜୁ ଯୁବ ବାହିନୀ’ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ
– ଯୋଜନାରେ ପୁରସ୍କୃତ ହେବେ ସ୍ଥାନୀୟ ହିରୋ ବା ପରିବର୍ତ୍ତନ ବାହକ
– ୧୫ରୁ ୩୫ ବର୍ଷ ଭିତରେ ଏଭଳି ଯୁବକ, ଯୁବତୀଙ୍କୁ ଚିହ୍ନଟ କରାଯିବ
– ଜିଲ୍ଲା ଓ ରାଜ୍ୟସ୍ତରୀୟ ଯୁବ ସମାବେଶରେ କରାଯିବ ପୁରସ୍କୃତ

ରାଜ୍ୟର ସମସ୍ତ ୩୧୪ ବ୍ଲକ ଓ ୧୧୩ ପୌରାଂଚଳର ଯୁବକ ଯୁବତୀମାନଙ୍କୁ ବିଜେଡି ସହ ଯୋଡିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଜୁ ଯୁବ ବାହିନୀକୁ ଗତ ମାର୍ଚ୍ଚ ୧୪ ତାରିଖରେ ଅନୁମୋଦନ କରିଥିଲା କ୍ୟାବିନେଟ୍ । ନିର୍ବାଚନୀ ବର୍ଷରେ କ୍ରୀଡା ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଶେଷ ଭୂମିକା ନେଉଥିବା ଯୁବବର୍ଗଙ୍କୁ ପୁରସ୍କୃତ କରିବା ଲକ୍ଷ୍ୟରେ ମୁଁ ହିରୋ ଅଭିଯାନ ଆରମ୍ଭ କରି ଆଉପାଦେ ଆଗେଇଛନ୍ତି ବିଜେଡ଼ି ସରକାର । ହେଲେ ବିରୋଧୀଙ୍କ ଅଭିଯୋଗ ରାଜ୍ୟରେ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ଅଭାବର କୁହେଳିକା ଭିତରେ ରାଜନୈତିକ ବିଭ୍ରାନ୍ତି ପାଇଁ ଏହା ଏକ ପ୍ରୟାସ ।

ମୁଁ ହିରୋ ରଥକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୨ମାସ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଂଚଳରେ ବୁଲିବ । ଲୁକ୍କାୟିତ ପ୍ରତିଭାମାନଙ୍କୁ ଚୟନ କରିବା ସହ ଯୁବବର୍ଗଙ୍କ ସମସ୍ୟା ଓ ସେଗୁଡିକର ସମାଧାନ କ୍ଷେତ୍ରରେ ଏହା ସହାୟକ ହେବ । ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ସ୍ଥାନୀୟ ହିରୋମାନଙ୍କୁ ଚୟନ କରି ସମ୍ମାନିତ କରାଯିବ । ଶାସକ ଓ ଶାସିତ ଭିତରେ ସଂପର୍କର ସୂତ୍ରହେବ ବିଜେଡିର ଏହି ନିଆରା ଅଭିଯାନ ।