ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଜି ଘୋଷଣା ହେବ ଟିମ୍ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କୁ ମିଳିପାରେ ବିଶ୍ରାମ। ରୋହିତ, ରାହୁଲଙ୍କ ପରେ ତୃତୀୟ ଓପନର ଖୋଜିବ ଟିମ ଇଣ୍ଡିଆ

ସେପଟେ ସୁଯୋଗ ଅପେକ୍ଷାରେ ୫ ଯୁବ କ୍ରିକେଟର

247

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଜି ଘୋଷଣା ହେବ ଟିମ୍ ଇଣ୍ଡିଆ । ୫ ଜଣ ଚୟନକର୍ତ୍ତା ଓ ଅଧିନାୟକ ବିରାଟ କୋହଲିଙ୍କ ବୈଠକ ପରେ ଘୋଷଣା ହେବ ଦଳ । ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେବା ପରେ ଦଳର କିଛି ବରିଷ୍ଠ ଖେଳାଳିଙ୍କୁ ଇଣ୍ଡିଜ ଗୃରୁ ବିଶ୍ରାମ ଦେବାକୁ ବୋର୍ଡ ଚିନ୍ତା କରୁଥିବା ଖବର ଆସିଥିଲା । ଭାରତ ଇଣ୍ଡିଜ ଗସ୍ତରେ ତିନୋଟି ଟି ୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଆଗକୁ ଟି ୨୦ ବିଶ୍ୱକପ୍ ବି ରହିଛି । ଏହି କାରଣରୁ ଦଳରେ କିଛି ପ୍ରତିଭାବାନ ଯୁବ ଖେଳାଳିଙ୍କୁ ସାମିଲ କରି , ଚୟନକର୍ତ୍ତା ବରିଷ୍ଠଙ୍କୁ ବିଶ୍ରାମ ଦେଇପାରନ୍ତି ।

ଅଭିଜ୍ଞ ୱିକେଟ କିପର ମହେନ୍ଦ୍ର ସିଂ ଧୋନି ଏହି ଗସ୍ତରୁ ଓହରି ଯାଇଛନ୍ତି । ସେ ୨ ମାସ ପାଇଁ ଦଳରୁ ବାହାରେ ରହିବେ ବୋଲି ବୋର୍ଡକୁ ସୂଚନା ଦେଇଛନ୍ତି । ତେଣୁ ତିନିଟି ଫର୍ମାଟରେ ୱିକେଟ ରକ୍ଷକ ଭାବେ ପନ୍ତ ରହିବେ ପ୍ରଥମ ପସନ୍ଦ । ଏହା ବାଦ୍ କ୍ୟାପଟେନ୍ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ବୁମରା, ଭୁବନେଶ୍ୱର କୁମାରଙ୍କୁ ଇଣ୍ଡିଜ ଗସ୍ତରୁ ମିଳିପାରେ ବିଶ୍ରାମ । ଏପରି ହେଲେ ଦଳର ନେତୃତ୍ୱ ମିଳିପାରେ ରୋହିତ ଶର୍ମାଙ୍କୁ । ବରିଷ୍ଠ ଖେଳାଳିଙ୍କ ସ୍ଥାନରେ ୫ ଯୁବ ତାରକା ନଭଦୀପ ସାଇନି, ଖଲିଲ ଅହମ୍ମଦ, କ୍ରୁନାଲ ପାଣ୍ଡ୍ୟା, ଶ୍ରେୟସ ଆୟର ଓ ଶୁଭମନ ଗିଲଙ୍କ ପରି ଖେଳାଳିଙ୍କୁ ଇଣ୍ଡିଜ ଗସ୍ତର ସୁଯୋଗ ମିଳିପାରେ ।

ସେହିପରି ବରିଷ୍ଠ ଖେଳାଳି ଆଜିଙ୍କ୍ୟ ରାହାଣେଙ୍କୁ ଇଣ୍ଡିଜ ଗସ୍ତ ପାଇଁ ଡାକରା ମିଳିପାରେ । ବିଶ୍ୱକପରେ ଆହତ ଓପନର ଶିଖର ଧାୱନ ଓ ଏବେ ଫିଟ୍ ନେସକୁ ନେଇ ସଂଘର୍ଷ କରୁଥିବା ପୃଥ୍ୱିସଙ୍କୁ ଚୟନକର୍ତା ଦଳରୁ ବାହାରେ ରଖିବେ । ତେଣୁ ରୋହିତ , ରାହୁଲଙ୍କ ବାଦ୍ ଦଳ ଆଉ ଜଣେ ଓପନରଙ୍କୁ ଇଣ୍ଡିଜ ଗସ୍ତ ପାଇଁ ଖୋଜିବ । ଆସନ୍ତାବର୍ଷ ଟି-୨୦ ବିଶ୍ୱକପକୁ ନଜରରେ ରଖି ଚୟନକର୍ତ୍ତା ଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ବାଛିବ ସମ୍ଭାବନା ଅଧିକ ରହିଛି ।