ବିରାଟ ବାହିନୀର ବିଜୟ ଉତ୍ସବରେ ସାମିଲ ହେଲେ ଧୋନୀ । ମ୍ୟାଚ୍ ଶେଷରେ ସାଥୀ ଖେଳାଳୀଙ୍କ ସହ ଡ୍ରେସିଂ ରୁମରେ ନଜର ଆସିଲେ ମାହି ।

1,178

କନକ ବ୍ୟୁରୋ : ରାଞ୍ଚି ଟେଷ୍ଟରେ ବଡ ବିଜୟ ସହ ସିରିଜ୍ କ୍ଲିନ୍ ସୁଇପ କରିଛି ବିରାଟ ବାହିନୀ । ଆଉ ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଡ୍ରେସିଂ ରୁମରେ ନଜର ଆସିଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ସାଥୀ ଖେଳାଳୀଙ୍କ ସହ କୋଚ୍ ରବି ଶାସ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ମାହି । ଆଉ ଏହି ସାକ୍ଷାତର ଏକାଧିକ ଫଟୋ ନିଜ ଟ୍ୱିଟର ପେଜରେ ପୋଷ୍ଟ କରିଛି ବିସିସିଆଇ ।

ତେବେ ରାଂଚି ଟେଷ୍ଟରେ ଦକ୍ଷିଣଆଫ୍ରିକାକୁ ହରାଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହିତ ୩-୦ରେ ତିନି ଟିକିଆ ଟେଷ୍ଟ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଭାରତ । ଆଜି ଚତୁର୍ଥ ଦିନରେ ମାତ୍ର ୧୦ ମିନିଟରେ ଖେଳକୁ ଶେଷ କରିଥିଲା ବିରାଟ ବାହିନୀ । ୮ ୱିକେଟରେ ୧୩୨ ରନରୁ ଖେଳ ଆରମ୍ଭ କରି ମାତ୍ର ଗୋଟିଏ ରନ୍ ଯୋଡି ବାକି ୨ଟି ଯାକ ୱିକେଟ୍ ହରାଇଥିଲା ଭ୍ରମଣକାରୀ ଟିମ୍ । ଫଳରେ ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଟିମ୍ ମାତ୍ର ୧୩୩ ରନରେ ସୀମିତ ରହିଥିଲା । ଭାରତ ଏକ ଇନିଂସ ଓ ୨୦୨ ରନରେ ଜିତି ନେଇଥିଲା ରାଂଚି ଟେଷ୍ଟ । ପୁରା ସିରିଜରେ ସୁନ୍ଦର ପ୍ରଦର୍ଶନ ପାଇଁ ରୋହିତ୍ ଶର୍ମାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ଦିଆଯାଇଛି । ତେବେ ମ୍ୟାଚ ଶେଷରେ ଖେଳାଳୀ ଡ୍ରେସିଂ ରୁମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେଖିବାକୁ ମିଳିଥିଲା ।