କଂଗ୍ରେସ ଭାରତ ବନ୍ଦ ଡାକରାରେ ସାମିଲ ଥିଲେ କି ଧୋନି ? ଫଟୋ ହେଲା ଭାଇରାଲ, ଜାଣନ୍ତୁ କଣ ରହିଛି ସତ୍ୟତା ।

45

ଦେଶରେ ତୈଳ ଦର ବୃଦ୍ଧିକୁ ବିରୋଧ କରି ସେପ୍ଟେମ୍ବର ୧୦ ସୋମବାର ଦିନ ଭାରତ ବନ୍ଦ ଡ଼ାକରା ଦେଇଥିଲା କଂଗ୍ରେସ । ଯାହାର ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଏକ ଫଟୋ ମଧ୍ୟରୁ ଗୋଟେ ଫଟୋ ମହେନ୍ଦ୍ର ସିଂହ ଧୋନିଙ୍କର ମଧ୍ୟ ରହିଥିଲା । ଯେଉଁଥିରେ ତାଙ୍କ ପତ୍ନୀ ସାକ୍ଷୀ ମଧ୍ୟ ନଜର ଆସିଥିଲେ । ଫଟୋରେ ପେଟ୍ରୋଲ ପମ୍ପରେ ଉଭୟ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ବସିଥିବାର ଦେଖା ଯାଇଥିବା ବେଳେ ମୋଦି ରାଜରେ ଯେବେଠାରୁ ପେଟ୍ରୋଲର ଦର ବଢ଼ିଛି, ସେବେଠାରୁ ମୁଁ ହେଲିକପ୍ଟର ସଟ୍ ଖେଳିବା ଛାଡ଼ି ଦେଇଛି ବୋଲି ଲେଖାଥିବା ଦେଖାଯାଇଥିଲା । ଏହି ଫଟୋ ଭାଇରାଲ ହେବା ପରେ ସମସ୍ତେ ଏହି ଖବରକୁ ସତ ବୋଲି ମାନି ନେଇଥିଲେ । କିନ୍ତୁ ପରେ ପ୍ରକୃତ କଥା ଜଣା ପଡ଼ିଥିଲା ।

ସୂଚନା ମୁତାବକ, ଅଗଷ୍ଟ ମାସରେ ଧୋନି ତାଙ୍କ ପରିବାର ସହ ଏକ ବିଜ୍ଞାପନର ସୁଟିଂ କରିବା ପାଇଁ ଶିମଲା ଯାଇଥିଲେ । ଏହି ସମୟରେ ସେ ରାସ୍ତାରେ ଥିବା ପେଟ୍ରେଲ ପମ୍ପରେ କିଛି ସମୟ ବିତାଇଥିଲେ । ଫଟୋରେ ନଜର ଆସିଥିବା ପେଟ୍ରୋଲ ପମ୍ପଟି ଶିମ୍ଲାର ବିକାଶ ନଗରରେ ଥିବା ଜଣାପଡ଼ିଛି । ତେବେ ଧୋନି ଶିମଲା ଯାଇଥିବାର ଖବରକୁ ଏକ ଖବର କାଗଜ ଏହି ଫଟୋ ସହ ଛପାଇଥିଲା । ଏହା ସହ ଧୋନି ମଧ୍ୟ ନିଜର ଏହି ଫଟୋକୁ ଅଗଷ୍ଟ୨୯ରେ ଟ୍ଵିଟ୍ କରିଥିଲେ । ଯାହାକୁ ନେଇ ଜଣେ କଂଗ୍ରେସ କର୍ମୀ ଅରୁଣ ଠାକୁର ସୋସିଆଲ ସାଇଟରେ ସେପ୍ଟମ୍ବର ୧୦ରେ ଅପଲୋଡ଼ କରିଥିଲେ । ଫଟୋରେ ଧୋନି ପେଟ୍ରୋଲ ପମ୍ପରେ ବସିଥିବା ଦେଖି ଲୋକମାନେ ସେ ଭାରତ ବନ୍ଦରେ ସାମିଲ ଥିଲେ ବୋଲି ଭାବି ନେଇଥିଲେ । ଲୋକମାନଙ୍କ ପ୍ରତିକ୍ରିୟା ଦେଖି ସେ କିଛି ସମୟ ପରେ ଏହି ଫଟୋକୁ ହଟାଇ ଦେଇଥିଲେ ବୋଲି ଜଣା ପଡ଼ିଛି ।