ସେନା ପୋଷାକ ପିନ୍ଧି ଆକ୍ସନ ମୋଡରେ ଧୋନୀ । କାଶ୍ମୀରରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ କରିବେ ପାଟ୍ରୋଲିଂ, ଦେଶର ସୁରକ୍ଷା ପାଇଁ କରିବେ କାମ ।

272

କନକ ବ୍ୟୁରୋ : ସେନା ପୋଷାକ ସହ ଆକ୍ସନ ମୁଡରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ କ୍ରିକେଟ୍ ବ୍ୟାଟରେ ଅଟୋଗ୍ରାଫ୍ ଦେଉଥିବା ଦୃଶ୍ୟକୁ ନେଇ ଜୋର ଧରିଛି ଚର୍ଚ୍ଚା । ୨ମାସ ପାଇଁ କ୍ରିକେଟ ପଡିଆରୁ ଦୂରରେ ରହିଥିବା ଧୋନୀ, ଟେରିଟୋରିଆଲ୍ ଆର୍ମିର ୧୦୬ ବାଟାଲିୟନ ସହିତ ରହିବେ । ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ, ସେନା ସହିତ ସେ ରହିବେ ବୋଲି କହିଛନ୍ତି ସେନା ଅଧିକାରୀ । ଭିକ୍ଟର ଫୋର୍ସର ଅଂଶବିଶେଷ ଭାବେ ଏହି ୟୁନିଟରେ ଏବେ ଦକ୍ଷିଣ କାଶ୍ମୀର ଅଂଚଳରେ ମୁତୟନ ହୋଇଛନ୍ତି ଲେଫନାଂଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନୀ । ଆଉ ପାଟ୍ରୋଲିଂ ଭଳି ଗୁରୁଦାୟିତ୍ୱ ମିଳିଛି ତାଙ୍କୁ ।

ବିଶ୍ୱକପରୁ ଭାରତର ବିଦାୟ ପରେ ଧୋନୀଙ୍କ ଭବିଷ୍ୟତ ରଣନୀତି ନେଇ ଉଠିଥିଲା ପ୍ରଶ୍ନ । ଏପରିକି ଧୋନୀ କ୍ରିକେଟରୁ ସବୁ ଫର୍ମାଟରୁ ସନ୍ୟାସ ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ହେଲେ ଧୋନୀ ଏସବୁଥିରୁ ନିଜକୁ ଦୁରେଇ ରଖିଥିଲେ । ଏବଂ କ୍ରିକେଟ୍ ମଇଦାନରୁ ଦୁଇ ମାସର ବିରତି ନେଇ ସେନାରେ ପ୍ରତ୍ୟକ୍ଷ ଭାବେ କାମ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ ।

ସେପଟେ ଧୋନୀଙ୍କ ପରି ଜଣେ ସେଲିବ୍ରିଟି କ୍ରିକେଟରଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । କାରଣ ଝାଡଖଣ୍ଡ ସରକାର ତାଙ୍କୁ ୱାଇ କାଟାଗୋରୀ ସିକ୍ୟୁରିଟି ଯୋଗାଇ ଦେଇଥାନ୍ତି । ସେନାରେ ମୂତୟନ ଖବର ପରେ ପ୍ରଶ୍ନ ଉଠିଥିଲା, ସେନାରେ କାମ କରିବା ସମୟରେ ତାଙ୍କୁ ମିଳିବ କି ଏପରି ସ୍ୱତନ୍ତ୍ର ସୁରକ୍ଷା । ଧୋନୀଙ୍କ ପାଇଁ ନିୟୋଜିତ ହେବେ କି ସୁରକ୍ଷା କର୍ମୀ । ହେଲେ ଏହି ପ୍ରଶ୍ନର ଅତି ସରଳ ଉତ୍ତର ଦେଇ ସେନା ମୁଖ୍ୟ ବିପିନ ରାୱତ କହିଥିଲେ, ଜଣଙ୍କୁ ସେନାର ୟୁନିଫର୍ମ ଦିଆଯାଇଛି ଅର୍ଥାତ ତାଙ୍କୁ ଦିଆଯାଉଥିବା ଦାୟିତ୍ୱକୁ ସେ ପୂରଣ କରିପାରିବେ । ଏମଏସ ଧୋନୀ ବେସିକ୍ ଟ୍ରେନିଂ ନେଇସାରିଛନ୍ତି, ତେଣୁ ସେ ନିଜ ସୁରକ୍ଷା ସହ ଲୋକଙ୍କୁ ସୁରକ୍ଷା ଦେଇପାରିବେ । ତେଣୁ ତାଙ୍କର ସୁରକ୍ଷା ଆବଶ୍ୟକ ନାହିଁ ।

କ୍ରିକେଟ ପଡିଆରେ ବଲ ଆଉ ବ୍ୟାଟରେ କମାଲ ଦେଖାଉଥିବା ମାହିଙ୍କ ପାଇଁ ଏବେ ସବୁଠୁ ବଡ ଚ୍ୟାଲେଂଜ ହେଲା, କାଶ୍ମୀରରେ ମୂତୟନ ହୋଇ ସେ କିପରି ସେନାର ଗୁରୁଦାୟିତ୍ୱ ତୁଲାଇବେ । କାରଣ ଜଣେ ଶୃଙ୍ଖଳିତ ସୈନିକ ଭାବେ ତାଙ୍କୁ ଉପରସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମାନିବାକୁ ପଡିବ । ପାଟ୍ରୋଲିଂ ସମୟରେ ଦେଶର ସୁରକ୍ଷା ପାଇଁ ତାଙ୍କୁ କାମ କରିବାକୁ ପଡ଼ିବ ।

ତେବେ ପଡ଼ିଆରେ ମାହି ଯେମିତି କ୍ରିକେଟରେ ମଜି ରହୁଥିଲେ, ସେହିପରି ଭାବେ ସେନାର ଅଧିକାରୀର ଦାୟିତ୍ୱକୁ ନେଇ ମଧ୍ୟ ସେ ମଜିଯାଇଛନ୍ତି । ସେପଟେ ମହେନ୍ଦ୍ର ସିଂହ ଧୋନୀଙ୍କୁ ପାଖରେ ପାଇ ତାଙ୍କ ୟୁନିଟ୍ ମଧ୍ୟ କୃତ୍ୟ କୃତ୍ୟ ହୋଇଯାଇଛି । ତାଙ୍କର ଅଟୋଗ୍ରାଫ ନେଉଛନ୍ତି, ଆଉ ସେନା ପୋଷାକରେ ଧୋନୀଙ୍କୁ ପାଇ ସେମାନେ ଖୁସି ଜାହିର କରୁଛନ୍ତି । ତେବେ କ୍ରିକେଟର ମଇଦାନ ହେଉ ବା କାଶ୍ମୀର ଘାଟି, ସବୁଠି ନିଜ ଶ୍ରେଷ୍ଠ ପ୍ରଦର୍ଶନ କରି ଚର୍ଚ୍ଚା ଭିତରକୁ ଆସିଯାଆନ୍ତି ମାହୀ ।