ଆଖିରେ ଲୁହ , ଥରଥର ପାଦ ଏବଂ ମୁଣ୍ଡ ତଳକୁ ପୋତି ପଡିଆରୁ ବାହାରିଲେ ଧୋନି ! ପ୍ରଶଂସକ କହିଲେ ଖେଳ ଯିଏ ବି ଜିତୁ ହୃଦୟ ତୁମେ ଜିତିନେଲ ମାହି ।

5,704

ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଟିମ୍ ଇଣ୍ଡିଆ ଏବଂ ଏହାସହ ଭାଙ୍ଗିଯାଇଛି ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀଙ୍କ ବିଶ୍ୱକପ୍ ଜିତିବାର ସ୍ୱପ୍ନ । ସୋସିଆଲ୍ ମିଡିଆରେ ଗତକାଲିର ଭାରତ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । କିନ୍ତୁ ଏ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିକୁ ନେଇ ହେଉଛି । ପଡିଆରେ କ୍ୟାପଟେନ୍ କୁଲଙ୍କ କୁଲ୍ ଅନ୍ଦାଜ୍ ପାଇଁ ସେ ଖୁବ୍ ଲୋକପ୍ରିୟ । ବିଜୟ ହେଲେ ଅଧିକ ଉତ୍ସାହିତ ହେବା ଏବଂ ପରାଜୟ ହେଲେ ଶୋକ ମନାଇବା ଭଳି ବ୍ୟବହାର କେବେ ମାହିଙ୍କ ଠାରେ ଦେଖାଯାଇନାହିଁ । କିନ୍ତୁ ଗତକାଲି ମ୍ୟାଚ୍ ରେ ପରାଜୟ ହେବା ପରେ ତାଙ୍କ ବ୍ୟବହାରରେ ଯାହା ଦେଖାଯାଇଛି ତାହା ବୋଧହୁଏ ତାଙ୍କ ୧୫ ବର୍ଷ କ୍ୟାରିୟରରେ କେବେ ଦେଖାଯାଇନାହିଁ ।

୧୯୮୩ ପରେ ଧୋନି ୨୦୧୧ ମସିହାରେ ବିଶ୍ୱକପ୍ ଫାଇନାଲରେ ଗୋଟିଏ ଛକା ମାରି ଯେଭଳି ମ୍ୟାଚ୍ ଜିତାଇଥିଲେ ଏଥର ନ୍ୟୁଜିଲାଣ୍ଡ ବିପକ୍ଷରେ ସେଭଳି କିଛି କରିପାରିନଥିଲେ । ଅନ୍ତିମ ସମୟ ପର୍ଯ୍ୟନ୍ତ ମଇଦାନରେ ଧୋନିଙ୍କୁ ସଂଘର୍ଷ କରିବାକୁ ଦେଖିବାକୁ ମିଳିଥିଲେ ହେଁ ଶେଷରେ ପରାଜୟର ସ୍ୱାଦ ଭାରତକୁ ଚାଖିବାକୁ ପଡିଥିଲା । ରବିନ୍ଦ୍ର ଜାଡେଜାଙ୍କ ସହଯୋଗରେ ପଡିଆରେ ଖେଳୁଥିବା ଧୋନି ଇଚ୍ଛା ଥାଇ ମଧ୍ୟ ଭାରତକୁ ଜିତାଇବାରେ ଅସଫଳ ହୋଇଥିଲେ । ନିଜ ରନିଙ୍ଗ୍ ପାଇଁ ଲୋକପ୍ର୍ରିୟ ଥିବା ଧୋନି ଏହି ବଡ ମ୍ୟାଚରେ ନିଜେ ରନ୍ ଆଉଟ୍ ହୋଇଯାଇଥିଲେ ।

ରନ୍ ଆଉଟ୍ ପରେ ପବେଲିୟନ୍ ଫେରୁଥିବା ଧୋନି ଖୁବ୍ ଦୁଃଖିତ ଜଣାପଡୁଥିଲେ । ତଳକୁ ମୁଣ୍ଡ ପୋତି କାନ୍ଦିବା ଅବସ୍ଥାରେ ସେ ଧିରେ ଧିରେ ମଇଦାନ ଛାଡିଥିଲେ । ଚାରି ଚାରିଟି ବିଶ୍ୱକପ୍ ରେ ଖେଳିଥିବା ମାହି ଗୋଟିଏ ମ୍ୟାଚରେ ଛକା ଲଗାଇ ଟିମ୍ କୁ ଜିତାଇଥିବା ବେଳେ ଆଉ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିଲେ କିନ୍ତୁ ତାଙ୍କର ଏଭଳି ଅବସ୍ଥା କେବେ ଦେଖାଯାଇନଥିଲା । ମ୍ୟାଚକୁ କିଛି ଲୋକ ସମାଲୋଚନା କରୁଥିବା ବେଳେ ସୋସିଆଲ୍ ମିଡିଆରେ କିନ୍ତୁ ପରାଜୟ ପରେ ବି ଧୋନି ଏବଂ ଜାଡେଜା କ୍ରିକେଟ୍ ପ୍ରେମୀଙ୍କ ପାଇଁ ହିରୋ ପାଲଟିଯାଇଛନ୍ତିି । ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିଥିଲେ ବି ଲୋକଙ୍କ ହୃଦୟ ଜିତିନେଇଛନ୍ତି ଧୋନି ।