ଲର୍ଡସ ଏକ ଦିବସୀୟ: ଭାରତ-ଇଲଣ୍ଡ ଦିନିକିଆ ସିରିଜି ବରାବର ସ୍ଥିତିରେ, ୮୬ ରନରେ ଭାରତକୁ ହରାଇଲା ଇଂଲଣ୍ଡ

39

କନକ ବ୍ୟୁରୋ: ଭାରତ-ଇଲଣ୍ଡ ଦିନିକିଆ ସିରିଜି ୧-୧ ବରାବର ସ୍ଥିତିରେ ରହିଛିା ଲର୍ଡସ ଠାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଭାରତକୁ ୮୬ ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୨୨ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୨୩୬ ରନରେ ଅଲଆଉଟ ହୋଇଯାଇଥିଲା । ସିରିଜ ବରାବର ସ୍ଥିତିରେ ଥିବା ବେଳେ ତୃତୀୟ ମ୍ୟାଚ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ଲର୍ଡସ ପଡ଼ିଆରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି। ଇଂଲଣ୍ଡ ୩୨୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ବିରାଟ ବିହିନୀ ମାତ୍ର ୨୩୬ ରନ୍ କରି ପାରିଛି। ଫଳରେ ଇଂଲଣ୍ଡ ୮୬ ରନର ବୃହତ୍ ବିଜୟ ହାସଲ କରିଛି। ତା’ ସହ ତିନି ଟିକିଆ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ନେଇ ଆସିଛି। ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଇଂଲଣ୍ଡ ଅନୁରୂପ ଭାବେ ଶୋଚନୀୟ ପରାଜୟ ବରଣ କରିଥିଲା। ଶନିବାର ୩୨୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ କେବେ ବି ବିଜୟ ଆଶା ସୃଷ୍ଟି କରି ପାରି ନଥିଲା।

ପ୍ରଥମ ମ୍ୟାଚର ଶତକ ହାସଲକାରୀ ରୋହିତ ଶର୍ମା (୧୫)ଙ୍କ ସହ ତାଙ୍କ ଯୋଡ଼ିଦାର ଶିଖର ଧାଓ୍ଵନ (୩୬) ଓ ଲୋକେଶ ରାହୁଲ (୦) ୬୦ ରନ୍ ଭିତରେ ପ୍ୟାଭିଲିୟନ ବାହୁଡ଼ି ଯାଇଥିଲେ। ଅଧିନାୟକ ବିରାଟ କୋହଲି (୪୫) ଓ ସୁରେଶ ରାଇନା (୪୬) ବଡ଼ ଭାଗୀଦାରି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଉଭୟ ଅର୍ଧଶତକ ଦ୍ୱାରରେ ଥିଲା ବେଳେ ନିଜ ନିଜ ଓ୍ଵିକେଟ୍ ଫିଙ୍ଗି ଦେଇଥିଲେ। ଫଳରେ ଭାରତର ବିଜୟ ଆଶା ସେହିଠାରେ ମଉଳି ଯାଇଥିଲା। କେବଳ ଯାହା ଔପଚାରିକତା ବାକି ରହିଥିଲା। ଏହି ଦୁଇ ଜଣ ଆଉଟ୍ ହେବା ପରେ ଇଂଲଣ୍ଡ ଭାରତର ବଳକା ୫ ଓ୍ଵିକେଟକୁ ୮୨ ରନ୍ ଭିତରେ ନେଇ ସହଜ ବିଜୟ ହାସଲ କରିଥିଲା। ଭାରତ ସମସ୍ତ ଓ୍ଵିକେଟ୍ ବିନିମୟରେ ମାତ୍ର ୨୩୬ ରନ୍ କରି ପାରିଥିଲା। ପ୍ରଥମ ମ୍ୟାଚ୍ ହାରିବା ପରେ ଶନିବାରର ଦ୍ୱିତୀୟ ମୁକାବିଲାରେ ଘାଇଲା ବାଘ ଭଳି ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଚି ନିର୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୩୨୨ ରନ୍ କରି ନେଇଥିଲା। କୁଲଦୀପ ଯାଦବ (୧୦-୦-୬୮-୩)ଙ୍କ କଚଟି ସ୍ପିନକୁ ବି ଇଂଲଣ୍ଡ ସର୍ବାଧିକ ଓ୍ଵିକେଟ୍ ଦେଇଥିଲା। ହେଲେ ସୁଯୋଗ ଉଣ୍ଡି ତାଙ୍କ ବଲକୁ ପଡ଼ିଆ ବାହାରକୁ ପଠାଇବାର କୌଣସି ସୁଯୋଗ ହାତଛଡ଼ା କରି ନଥିଲା।

ବିଶେଷ କରି ତୃତୀୟ ସ୍ଥାନରେ ଆସିଥିବା ଜୋ ରୁଟ୍ (୧୧୩ ରନ୍, ୧୧୬ ବଲ୍, ୮ ଚୌକା, ୧ ଛକା)ଙ୍କ ଶତକ ଭାରତ ପାଇଁ କାଳ ହୋଇଥିଲା। ସେ ୫୬ ବଲରୁ ଅର୍ଧଶତକ ଏବଂ ୧୦୯ ବଲ୍ରୁ ଶତକ ଅର୍ଜନ କରି ଇଂଲଣ୍ଡ ପାଳିର ପ୍ରମୁଖ ଅଂଶୀଦାର ପାଲଟିଥିଲେ। ସେହିଭଳି ଶେଷ ଆଡ଼କୁ ଡେଭିଡ୍ ଓ୍ଵିଲି (୫୦ଞ୍ଚ ରନ୍, ୩୧ ବଲ୍, ୫ ଚୌକା, ୧ ଛକା) କରିଥିବା ଦ୍ରୁତ ଅର୍ଧଶତକ ମଧ୍ୟ ଇଂଲଣ୍ଡ ପାଳିର ଅନ୍ୟତମ ଆକର୍ଷଣ ଥିଲା। ଏମାନଙ୍କ ବ୍ୟତିତ ଅଧିନାୟକ ଇଅନ ମୋର୍ଗାନ ୫୩ ରନର ଉପଯୋଗୀ ପାଳି ଖେଳିଥିଲେ। ରୁଟ୍ ଗତକାଲି ଦ୍ୱାଦଶ ଦିନିକିଆ ଶତକ ହାସଲ କରିବା ସହ ଶେଷ ବଲରେ ରନଆଉଟ୍ ହୋଇଥିଲେ।