ଅଷ୍ଟ୍ରେଲିଆରେ ଧୋନୀଙ୍କ ଧମାକା ! ୮ ବର୍ଷ ପରେ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହେଲେ ମାହି ।

1,350

ମେଲବର୍ଣ୍ଣରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଶିକାର କରିବା ସହ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତିଛି ଭାରତ । ତେବେ ଏହି ଦିନିକିଆ ସିରିଜରେ ଚମକିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ୩୭ ବର୍ଷରେ ବୟସରେ କମାଲ ଦେଖାଇଛନ୍ତି ଧୋନୀ ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ମୋଟ ୧୯୩ ରନ କରିବା ସହ ମ୍ୟାଚ ବିଜୟୀ ଇନିଂସ ପାଇଁ ଧୋନୀଙ୍କୁ ମ୍ୟାନ ଅଫ୍ ଦି ସିରିଜ ବିବେଚିତ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ଗସ୍ତର ଟି-୨୦ ସିରିଜରେ ଭାରତୀୟ ଦଳରୁ ଧୋନୀଙ୍କୁ ବାଦ ଦେଇଥିଲେ ଚୟନକର୍ତ୍ତା । କିନ୍ତୁ ଦିନିକିଆରେ କଙ୍ଗାରୁ ଦଳ ବିପକ୍ଷରେ ଜବରଦସ୍ତ କମବ୍ୟାକ୍ କରିବା ସହ ଚୟନକର୍ତ୍ତାଙ୍କୁ ଧୋନୀ ଉଚିତ ଜବାବ ଦେଇଥିବା ଏବେ ଚର୍ଚ୍ଚା ହେଉଛି ।

ଯଦି ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସିରିଜ ଉପରେ ନଜର ପକାଇବା, ତେବେ ଦୁଇଟି ମ୍ୟାଚରେ ଅପରାଜିତ ରହିଛନ୍ତି ଧୋନୀ । ଏବଂ ଆଉ ଏକ ମ୍ୟାଚରେ ଧୋନୀଙ୍କୁ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ଶିକାର ହେବାକୁ ପଡିଥିଲା । ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଧୋନୀ ୫୧ ରନ କରିଥିଲେ । ଆଉ ଏହି ମ୍ୟାଚରେ ଅମ୍ପାୟାର ତାଙ୍କୁ ଭୁଲ ଭାବେ ଏଲବିଡବ୍ଲୁ ଆଉଟ୍ ଦେଇଥିଲେ । ଆଉ ଭାରତ ଏହି ମ୍ୟାଚକୁ ୩୪ ରନରେ ହାରି ଯାଇଥିଲା । ସେହିପରି ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ତଥା ଭାରତ ପାଇଁ କର ବା ମର ମୁକାବିଲାରେ ଧୋନୀ ଅପରାଜିତ ୫୫ ରନ କରିବା ସହ ଭାରତକୁ ଏକ ମହତ୍ୱପୂର୍ଣ୍ଣ ବିଜୟ ଦେଇଥିଲେ ।

ସେହିପରି ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲାରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ଅପରାଜିତ ୮୭ ରନ ଭାରତକୁ ନା ହିଁ କେବଳ ଏହି ମ୍ୟାଚରେ ବିଜୟ ପ୍ରଦାନ କରିଛି ବରଂ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୀର୍ଘ ୮ ବର୍ଷ ପରେ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ଧୋନୀଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ କରାଯାଇଛି । ଶେଷ ଥର ପାଇଁ ଧୋନୀଙ୍କ ସିରିଜର ଶ୍ରେଷ୍ଠ ଖେଳାଳୀ ଭାବେ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ମିଳିଥିଲା ।