ଆଜି ଆସିବ ଗଙ୍ଗା-ଯମୁନାଙ୍କ ଏମଆରଆଇ ରିପୋର୍ଟ! ଦିଲ୍ଲୀ ଏମ୍ସ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ନିଆଯିବ ପରବର୍ତି ଚିକିତ୍ସା ନିଷ୍ପତି

37

କନକ ବ୍ୟୁରୋ : କଟକ ବଡ ମେଡିକାଲରେ ଯୋଡା ଶିଶୁ ଗଙ୍ଗା-ଯମୁନାଙ୍କ ଏମଆରଆଇ ସ୍କାନ କରାଯାଇଛି । ଆଜି ତାର ରିପୋର୍ଟ ଆସିବା ସମ୍ଭାବନା ରହିଛି । ରିପୋର୍ଟ ଆଧାରରେ କାର୍ଡିଓଲୋଜି ବିଭାଗର ଡାକ୍ତର ଦିଲ୍ଲୀ ଏମସର ଡାକ୍ତରଙ୍କ ସହ ଯୋଗାଯୋଗ କରିବେ । ଆବଶ୍ୟକୀୟ ପରାମର୍ଶ ଅନୁସାରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଶିଶୁ ଭବନ କର୍ତୃପକ୍ଷ । ଗତକାଲି ଶିଶୁ ଭବନରୁ ଦିନ ୧୨ଟାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଗଙ୍ଗା ଯମୁନାଙ୍କୁ ଏସସିବିକୁ ଅଣାଯାଇ ଏମଆରଆଇ ସ୍କାନ କରାଯାଇଥିଲା ।

ଗତ ୪ ତାରିଖରେ ଯୋଡା ଶିଶୁଙ୍କ ସିଟି ସ୍କାନ ଓ ଇକୋ କାର୍ଡିଓଗ୍ରାଫି ରିପୋର୍ଟରୁ ସେମାନଙ୍କ ଗୋଟିଏ ହୃତପିଣ୍ଡ ଓ ଯକୃତ ଥିବା ସ୍ପଷ୍ଟ ହୋଇଥିଲା । ହୃତପିଣ୍ଡରେ ଗୁରୁତର ତ୍ରୁଟି ଥିବା ମଧ୍ୟ ଜଣାପଡିଥିଲା । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ କେଉଁ ପ୍ରକାର ତ୍ରୁଟି ରହିଛି ତାହା ସ୍ପଷ୍ଟ ହେବା ପାଇଁ ଏମଆରଆଇ ସ୍କାନ କରାଯାଇଛି । ଯାହାର ରିପୋର୍ଟ ଆଜି ଆସିବା ସମ୍ଭାବନା ରହିଛି । ଅନ୍ୟପଟେ ଗଙ୍ଗା ଯମୁନାଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିଶେଷ କୌଣସି ଉନ୍ନତି କିମ୍ବା ଅବନତି ଦେଖିବାକୁ ମିଳୁନଥିବା ସୂଚନା ମିଳିଛି । ଗଙ୍ଗା-ଯମୁନାଙ୍କ ପାଇଁ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ।