ମଧ୍ୟପ୍ରଦେଶ ମହାଡ୍ରାମା: ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । କ୍ଷମତା ପାଇଁ ବଳି ପଡ଼ିଯାଉଛି ବର୍ଷ ବର୍ଷର ସମ୍ପର୍କ ।

261

କନକ ବ୍ୟୁରୋ: ରାଜନୀତି କେତେବେଳେ କେଉଁ ରଙ୍ଗ ନିଏ ତାହା କହିବା ମୁସକିଲ । ମଧ୍ୟପ୍ରଦେଶରେ ହୋଲି ଦିନ ଆରମ୍ଭ ହୋଇଥିବା ରାଜନୈତିକ ଝଡ ବୁଧବାର ବେଳକୁ ନୂଆ ରୂପ ନେଇସାରିଥିଲା । ହୁଏତ କେହି କେବେ ଭାବିନଥିବେ ମଧ୍ୟପ୍ରଦେଶ କଂଗ୍ରେସ ରାଜନୀତିର ଜଣେ ବଡ ଚେହେରା ହଠାତ୍ ବିଜେପିରେ ଯାଇ ମିଶିଯିବେ । ଯେଉଁ ନେତାଙ୍କୁ ଭରସା କରି କଂଗ୍ରେସ ବିଜେପି ଉପରେ ଆକ୍ରମଣ କରୁଥିଲା, ସେହି ନେତା ଏବେ ବିଜେପିରେ । ବୁଧବାର ବିଜେପି କାର୍ଯ୍ୟାଳୟରେ ସିନ୍ଧିଆଙ୍କ ଉପସ୍ଥିତି ସାରା ଦେଶରେ ପୁଣି ଏକ ରାଜନୈତିକ ଝଡ ସୃଷ୍ଟି କରିଛି ।

୪୯ ବର୍ଷିୟ ଗ୍ୱାଲିୟର ରାଜପରିବାରର ଏହି ନେତା ବିଜେପିରେ ଯୋଗ ଦେବା ପରେ ତାଙ୍କର ୧୮ ବର୍ଷର କଂଗ୍ରେସ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡିଛି । ମନମୋହନ ସିଂହ ସରକାରରେ ଶକ୍ତି ମନ୍ତ୍ରାଳୟ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୦୨ରେ ମଧ୍ୟପ୍ରଦେଶର ଗୁନା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତି ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଲଗାତର ସେହି ଗୁନା ନିର୍ବାଚନ ମଣ୍ଡଳିରୁ ଜିତି ଆସୁଥିବା ସିନ୍ଧିଆ ୨୦୧୯ରେ କିନ୍ତୁ ହାରିଯାଇଥିଲେ । ଗ୍ୱାଲିଅର ରାଜପରିବାରର ପ୍ରାୟ ୨୦ ହଜାର କୋଟି ଟଙ୍କାର ସମ୍ପତିର ମାଲିକ ଜ୍ୟୋତିରାଦିତ୍ୟ ବୁଧବାର ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ।

ହୋଲିରେ ଯେତେବେଳେ ସାରା ଦେଶ ରଙ୍ଗର ଉତ୍ସବ ମନାଉଥିଲା ସେତେବେଳେ ସିନ୍ଧିଆ ଏକ ବଡ ଯୋଜନାର ବ୍ଲୁ ପ୍ରିଂଟ୍ ତିଆରି କରୁଥିଲେ । ଦୀର୍ଘଦିନର ଶତ୍ରୁ ବିଜେପିକୁ ଯିବା ପାଇଁ ପ୍ଲାନ ବନାଇସାରିଥିଲେ । ଆଉ ଏହେଉଛି ସେହି ଇସ୍ତଫା ପତ୍ର , ଯେଉଁଥିରେ ସିନ୍ଧିଆ ନିଜର ମନର କଥା ଲେଖିଥିଲେ । ବର୍ଷେ ହେଲା ଏଭଳି ଏକ ଘଟଣା ଘଟିବା ନେଇ ଆପେ ଆପେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଆଗକୁ ବଢିବା ପାଇଁ ସମୟ ଆସିଛି ବୋଲି ଚିଠିରେ ଲେଖିଥିଲେ ସିନ୍ଧିଆ ।

ସିନ୍ଧିଆ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ପ୍ରଥମେ ମଙ୍ଗଳବାର କେହି ବିଶ୍ୱାସ କରିପାରୁନଥିଲେ । ଏପରିକି ବୁଧବାର ଦିନ ୨ ଟା ଯାଏ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏପରିକି ଅନ୍ୟ ଦଳ ଗଢିପାରନ୍ତି ବୋଲି କୁହାଯାଉଥିଲା । କିନ୍ତୁ ଯେତେବେଳେ ତାଙ୍କ ଘରକୁ ବିଜେପି ନେତା ଗଲେ ଏବଂ ବିଜେପି ମୁଖ୍ୟ କାର୍ଯ୍ୟଳୟ ଅଭିମୁଖେ ସିନ୍ଧିଆଙ୍କ ଗାଡି ବାହାରିଲା, ସେତେବେଳେ ସବୁ ସ୍ପଷ୍ଟ ହୋଇଗଲା । ଆଉ କିଛି ସମୟ ପରେ ରାଜନୀତିର ଅନେକ ରଙ୍ଗ ଭିତରୁ ଆଉ ଏକ ରଙ୍ଗ ଦେଖିବାକୁ ମିଳିଲା ।