ଭୋପାଳ ଗଣଦୁଷ୍କର୍ମ ମାମଲାକୁ ନେଇ ମଧ୍ୟପ୍ରଦେଶ ସରକାରଙ୍କ ପଦକ୍ଷେପ ! ରାତି ୮ଟା ପରେ ଝିଅଙ୍କୁ କୋଚିଂ କ୍ଲାସ ମନା

33

ଭୋପାଳର ଗଣଦୁଷ୍କର୍ମ ମାମଲା । ଯାହା ପୁଣି ଏକ ସଂଗୀନ ଅପରାଧର ପ୍ରମାଣ ଦେଇଛି । ଆଉ ଝିଅ ବା ମହିଳାମାନେ କେତେ ଯେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅକ୍ଟୋବର ୩୧ ତାରିଖ । କୋଚିଂ ସେଂଟରରୁ ଫେରୁଥିବା ସମୟରେ ଜଣେ ୧୯ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଯାହା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାକୁ ମଧ୍ୟପ୍ରଦେଶ ସରକାର ଗୁରୁତର ଭାବେ ନେଇଛନ୍ତି ।

ରାଜ୍ୟର ଶିକ୍ଷାମନ୍ତ୍ରୀ ଦୀପକ ଯୋଶୀ ସୋମବାର ଦେଇଛନ୍ତି ନିର୍ଦ୍ଦେଶ । ରାତି ୮ଟା ପରେ ଝିଅମାନେ କୋଚିଂ କ୍ଲାସ୍ ଯାଇପାରିବେ ନାହିଁ । ଆଉ ୮ଟା ପରେ କୋଚିଂ କ୍ଲାସ ନରଖିବାକୁ ଟ୍ୟୁଟୋରିଆଲ ଗୁଡିକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସେମାନେ ଯେପରି ରାତି ୮-୯ଟା ମଧ୍ୟରେ ଘରେ ପହଁଚିପାରିବେ , ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି । ଯୋଶୀଙ୍କ ଅନୁସାରେ ଛାତ୍ରୀମାନଙ୍କର ଅବସ୍ଥିତି ସଂପର୍କରେ ସୂଚନା ହାସଲ କରିବା ଲାଗି ସରକାର ଏକ ମୋବାଇଲ ଫୋନ୍ ଆପ୍ ବିକଶିତ କରିବା ଲାଗି ମଧ୍ୟ ଉଦ୍ୟମ କରୁଛନ୍ତି ।

ସେପଟେ ଏହି ଘଟଣାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ( ଏସଆଇଟି) ଘଟଣାର ୬ଦିନ ପରେ ଫେରାର୍ ଥିବା ଚତୁର୍ଥ ଅଭିଯୁକ୍ତ ରାକେଶକୁ ଗିରଫ କରିଛି । ଭୋପାଳର କୋଲର ଅଂଚଳରୁ ତାକୁ ଧରାଯାଇଥିଲା । ପୂର୍ବରୁ ତା ସଂପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୁଲିସ୍ ଘୋଷଣା କରିଥିଲା ।

ସୂଚନା ଯେ, ସେଦିନ ମଙ୍ଗଳବାର ସନ୍ଧ୍ୟାରେ ଭୋପାଳର ହବିବଗଂଜ ଆରପିଏଫ୍ ଥାନାରୁ ମାତ୍ର ୨ଶହ ମିଟର ଦୂରରେ ଏହି ଅଘଟଣ ଘଟିଥିଲା । ଦୁର୍ବୁତ୍ତମାନେ ପୀଡିତାଙ୍କୁ ଗଣଦୁଷ୍କର୍ମ କରିବା ସହ ଲୁଟ୍ କରିଥିଲେ । ପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ହେଲେ ସେ ମରିଯାଇଥିବାର ଭାବି ଅଭିଯୁକ୍ତମାନେ ସେହି ସ୍ଥାନ ଛାଡି ପଳାଇଥିଲେ । ସୂଚନା ଯେ ପୀଡିତାଙ୍କ ପିତା ଆରଫିଏଫରେ କାର୍ଯ୍ୟ କରୁଥିବା ବେଳେ ମା’ ସିଆଇଡିରେ କାର୍ଯ୍ୟରତ ।