ଗଣତନ୍ତ୍ରକୁ ବଞ୍ଚାଇବାକୁ ଗୁଳି ଚଳାଇବାକୁ ମଧ୍ୟ ପ୍ରସ୍ତୁତ । କାହିଁକି ଏଭଳି କହିଲେ ପୂର୍ବତନ ବିଧାୟକ

270

ଆସନ୍ତାକାଲି ଇଭିଏମରୁ ସିଲ ଖୋଲିବା ସହ ଫିଟିବ ନେତାଙ୍କ ଭାଗ୍ୟ । ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିହାରରେ ଉଷ୍ମ ହୋଇଛି ରାଜନୀତି ପାଣିପାଗ । ଆରଏଲଏସପି ପ୍ରମୁଖ ଉପେନ୍ଦ୍ର କୁଶୱାହାଙ୍କ ବିବାଦୀୟ ବୟାନକୁ ସମର୍ଥନ କରିବା ସହ ଭଭୁଆର ପୂର୍ବତନ ବିଧାୟକ ତଥା ବକ୍ସର ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରାମଚନ୍ଦ୍ର ଯାଦବ ମଧ୍ୟ ବଡ ବୟାନ ଦେଇଛନ୍ତି । ଯାହା ଫଳାଫଳ ଆସିବା ପୂର୍ବରୁ ବିହାର ସମେତ ଜାତୀୟ ରାଜନୀତିରେ ଭ୍ରୃକୁଞ୍ଚନ ସୃଷ୍ଟି କରିଛି । ହାତରେ ବନ୍ଧୁକ ଧରି ଖୋଲାଖୋଲି ଧମକ ଦେଇଛନ୍ତି ରାମଚନ୍ଦ୍ର ।

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଗୁଳି ଚଳାଇବାକୁ ପ୍ରସ୍ତୁତ ବୋଲି ପ୍ରେସ କନଫରେନ୍ସରେ କହିଛନ୍ତି ରାମଚନ୍ଦ୍ର । କେବଳ ମହାଗଠବନ୍ଧନ ନେତା ଆଦେଶ ଦିଅନ୍ତୁ ମୁଁ ଗୁଳି ଚଳାଇବାକୁ ମଧ୍ୟ ପ୍ରସ୍ତୁତ । ଏହାପୂର୍ବରୁ ଉପେନ୍ଦ୍ର କୁଶୱାହା ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ । ପ୍ରଥମେ ବୁଥ୍ ଲୁଟ୍ ଏବେ ଫଳାଫଳକୁ ଲୁଟ୍ କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଯଦି ଏଭଳି ହୁଏ ତେବେ ରାସ୍ତାରେ ରକ୍ତର ନଦୀ ବହିବ ବୋଲି କହିଥିଲେ କୁଶୱାହା ।

ଏଭଳି ବିବାଦୀୟ ବୟାନ ପାଇଁ କୁଶୱାହାଙ୍କୁ ଟାର୍ଗେଟ କରିଛି ଜେଡିୟୁ । ଆମ କାର୍ଯ୍ୟକର୍ତ୍ତା ଚୁଡି ପିନ୍ଧି ନାହାନ୍ତି ବୋଲି କହିଛି ଜେଡିୟୁ । ସେହିଭଳି ଏଲଜେପି ପ୍ରମୁଖ ରାମବିଳାସ ପାଶୱାନ କହିଛନ୍ତି, ଲୋକତନ୍ତ୍ରକୁ କମଜୋର କରିବାକୁ ଚେଷ୍ଟା କରାଗଲେ ତାହା ବିରୋଧରେ ଲଢେଇ କରିବା ଆବଶ୍ୟକ । ଏଥିପାଇଁ କାର୍ଯ୍ୟକର୍ତ୍ତା ଡିଫେନ୍ସିଭ ହେବାର ଆବଶ୍ୟକତା ନାହିଁ ।