ହେଲିକପ୍ଟରରେ ଆସିବେ ବାଘ ଓ ବାଘୁଣୀ । ସାତକୋଶିଆରେ ହରିଣ ମାରିବାକୁ ବାଘ ଆଣୁଛି ଓଡ଼ିଶା

87

କନକ ବ୍ୟୁରୋ : ସାତକୋଶିଆ ଆସିବ ମହାବଳ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ବାଘ ଦେବାକୁ ସମ୍ମତି ଜଣାଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶ ଜଙ୍ଗଲରୁ ମହାବଳ ବାଘକୁ ହେଲିକପ୍ଟରରେ ଅଣି ସାତକୋଶିଆର ଘଂଚ ଅଭୟାରଣ୍ୟରେ ଛଡାଯିବ । ଜଙ୍ଗଲରେ ବାଘଙ୍କ ପାଇଁ ତିଆରି ହେବ ସ୍ୱତନ୍ତ୍ର ଏନକ୍ଲୋଜର । ଖାଲି ସେତିକି ନୁହେଁ ବାଘଙ୍କ ଆହାର ପାଇଁ ଛଡାଯିବ ହରିଣ ଓ ସମ୍ବର ଭଳି ପ୍ରାଣୀ । ଫଳରେ ପରିବେଶ ସନ୍ତୁଳନ ସହ ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବ ।

Tigerଆକାଶରେ ଉଡି ହରିଣ ଖାଇବାକୁ ସାତକୋସିଆ ଆସିବ ମହାବଳ । ହେଲିକପ୍ଟରରେ ଆସିବେ ବାଘ ଓ ବାଘୁଣୀ । ମଧ୍ୟପ୍ରଦେଶ ଜଙ୍ଗଲରୁ ଆସି ଓହ୍ଲାଇବେ ସାତକୋସିଆ ବ୍ୟାଘ୍ର ଅଭୟାରଣ୍ୟରେ । ଯେଉଁଠି ଏହି ବାଘଙ୍କୁ ରଖିବା ପାଇଁ ନିର୍ମିତ ହୋଇଥିବ ଏକ ସ୍ୱତନ୍ତ୍ର ଏନକ୍ଲୋଜର । ଏଥିପାଇଁ ସାତକୋସିଆର କୋର ଏରିଆରେ ୬ଏକର ପରିବ୍ୟାପ୍ତ ଅଂଚଳକୁ ତାର ବାଡ ଘେରାଇ ପୂର୍ବରୁ ପ୍ରସ୍ତୁତ କରାଯାଇଥିବ । ଆଉ ଏହା ମଧ୍ୟରେ ଛଡାଯିବ ହରିଣ ସମ୍ବର ପରି ତୃଣଭୋଜୀ ପ୍ରାଣୀ । ଫଳରେ ନୂଆ ବାସସ୍ଥାନରେ ବାଘଙ୍କୁ ସହଜରେ ଖାଦ୍ୟ ମିଳିବା ସହ ପରିବେଶ ସହିତ ମଧ୍ୟ ଖାପ ଖୁଆଇବାରେ ସେମାନେ ସକ୍ଷମ ହେବେ । ପରେ ବାଘଙ୍କ ସ୍ୱାଭାବିକ ବିଚରଣ ପାଇଁ ଏହି ବାଡକୁ ହଟାଇଦିଆଯିବ ।

ଅନ୍ୟ ରାଜ୍ୟରୁ ବାଘ ଆଣି ସାତକୋସିଆରେ ଛାଡିବା ପ୍ରକ୍ରିୟାରେ ପୁଣି ଗୋଟେ ପାଦ ଆଗେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖି ବାଘ ଦେବା ପାଇଁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବାଘ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ସରକାର । ତେଣୁ ଖୁବ ଶୀଘ୍ର ମଧ୍ୟପ୍ରଦେଶ ଗସ୍ତ କରିବ ଓଡିଶାର ବିଶେଷଜ୍ଞ ଦଳ ।ମଧ୍ୟପ୍ରଦେଶରୁ ସମୁଦାୟ ୬ଟି ବାଘ ଆଣିବାକୁ ଯୋଜନା କରାଯାଇଛି । ଯାହାର ସଫଳ ରୂପାୟନ ହୋଇପାରିଲେ ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଏହା ପରିବେଶ ସନ୍ତୁଳନରେ ମଧ୍ୟ ସହାୟକ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।