ଓଡ଼ିଶାର ପାହାଡ ପୁରୁଷ ଜଳନ୍ଧର ! ପାହାଡ କାଟି ନିର୍ମାଣ କଲେଣି ୭ କିଲୋମିଟର ରାସ୍ତା, ଲକ୍ଷ୍ୟପଥରେ ପହଞ୍ଚିବାକୁ ଆହୁରି ଅଛି ଅନେକ ବାଟ

131

କନକ ବ୍ୟୁରୋ : ମାଉଣ୍ଟେନ ମ୍ୟାନ କହିଲେ ଆପଣାଛାଏଁ ଗୋଟିଏ ନାଁ ସାମ୍ନାକୁ ଚାଲିଆସେ । ସେ ହେଉଛନ୍ତି ବିହାରର ଦଶରଥ ମାଞ୍ଝି । ପାହାଡ ଘେରା ଅଞ୍ଚଳରେ ମାଞ୍ଝି ରହୁଥିବା ଗାଁକୁ ରାସ୍ତାଟିଏ ନଥିଲା । ତେଣୁ ଗାଁ ବାହାରକୁ ଯିବାକୁ ହେଲେ ପାହାଡିଆ ରାସ୍ତା ଥିଲା ଶେଷ ଭରଷା । ଏହି ପାହାଡିଆ ରାସ୍ତାରେ ବାହାରକୁ ଯାଉଥିବା ବେଳେ ପାହାଡ ତଳୁ ଖସିପଡି ମାଞ୍ଝିଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପାହାଡ ଭାଙ୍ଗି ଖଣ୍ଡ ଖଣ୍ଡ କରିବାକୁ ନିଷ୍ପତି ନେଇଥିଲେ ମାଞ୍ଝି । ଆଉ ଦୀର୍ଘ ୨୨ ବର୍ଷର ପାହାଡର ଛାତି ଚିରିବା ପରେ ପୂରଣ ହୋଇଥିଲା ଦଶରଥ ମାଞ୍ଝିଙ୍କର ସ୍ୱପ୍ନ । ଏଭଳି କାହାଣୀକୁ ନେଇ ନିର୍ମାଣ ହୋଇଥିଲା ମାଞ୍ଝି ଦ ମାଉଣ୍ଟେନ ମ୍ୟାନ ଫିଲ୍ମ । କିନ୍ତୁ ପୁଣିଥରେ ସାମ୍ନାକୁ ଆସିଛନ୍ତି ଦଶରଥ ମାଞ୍ଝିଙ୍କ ଭଳି ଆଉ ଜଣେ ବିରଳ ବକ୍ତିତ୍ୱ । ଯାହାଙ୍କ ଦୃଢ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ଆଗରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଛି ଶକ୍ତିଶାଳୀ ପାହାଡ । ସେ ଅନ୍ୟ କେହି ନୁହଁନ୍ତି ବରଂ ଓଡ଼ିଶାର ମାଉଣ୍ଟେନ ମ୍ୟାନ ଜଲନ୍ଧର ନାୟକ ।

_99551134_jalandharnayak2କନ୍ଧମାଳର ଜଳନ୍ଧର ନାୟକ । ବୟସ ୪୫ ଛୁଇଁଲାଣି । କିନ୍ତୁ ତାଙ୍କ ଦୃଢ ଆତ୍ମବିଶ୍ୱାସ ଆଗରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଛି ବଡ ବଡ ପାହାଡ । ପାହାଡ ଘେରା ଭିତରେ ରହୁଥିବାରୁ ଗାୁଁକ ରାସ୍ତା ନାହିଁ । ଗାଁ କହିଲେ ଜଳନ୍ଧରଙ୍କ ଗୋଟିଏ ଘର । ତେବେ ୧୫ କିଲୋମିଟର ପର୍ଯ୍ୟନ୍ତ ପାହାଡ ଘେରି ହୋଇ ରହିଥିବାରୁ ସହରକୁ ଯିବା ପାଇଁ ୨୦ କିଲୋମିଟର ପାର କରିବାକୁ ପଡୁଥିଲା । ଏପରିକି ବାହାରେ ପଢୁଥିବା ୩ ପୁଅ ମଧ୍ୟ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଉ ଏଥିପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡିଥିଲେ ଜଳନ୍ଧର । ସେ ଜାଣିଥିଲେ ଗୋଟିଏ ପରିବାର ପାଇଁ ପ୍ରଶାସନ କେବେ ପାହାଡ କାଟି ରାସ୍ତା ତିଆରି କରିବନି । ତେଣୁ ହାତରେ ଉଠାଇଥିଲେ ସାବଳ,ଓ କୋଡି ।ଲକ୍ଷ୍ୟ ଥିଲା ପାହାଡ କାଟି ନିଜ ପରିବାର ପର୍ଯ୍ୟନ୍ତ ରାସ୍ତା ପହଞ୍ଚାଇବା ।

ଆଉ ଏହି ଲକ୍ଷ୍ୟ ତାଙ୍କୁ ଏବେ ଆଗକୁ ଆଗକୁ ବାଟ କଢାଇ ନେଉଛି । ଜଳନ୍ଧରଙ୍କ ସାବଳ ଓ କୋଡି ମାଡରେ ଶକ୍ତିଶାଳୀ ପାହାଡ ବାଲିଘର ଭଳି ଭୁଷୁଡି ପଡୁଛି । ଏହା ଭିତରେ ଦୁଇଟି ପାହାଡ କାଟି ୭ କିଲୋମିଟର ରାସ୍ତା ତିଆରି କରିସାରିଥିବା ବେଳେ ଆଗାମୀ ତିନିବର୍ଷ ମଧ୍ୟରେ ଆହୁରି ୫ଟି ପାହାଡ କାଟି ଘର ପର୍ଯ୍ୟନ୍ତ ରାସ୍ତା ଫିଟାଇବାକୁ ଲକ୍ଷ୍ୟ ରଖିଛନ୍ତି । ଜଳନ୍ଧରଙ୍କ ଏଭଳି ପ୍ରୟାସ ତାଙ୍କୁ ଆଧୁନିକ ଯୁଗର ବିଶ୍ୱକର୍ମାର ପରିଚୟ ଦେଇଛି । ତେବେ ଏକାକୀ ଜଳନ୍ଧର ଏଭଳି କାମ କରୁଥିବା ପ୍ରଶାସନ ଜାଣିବା ପରେ ଏବେ ସହଯୋଗର ହାତ ବଢାଇଛି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସାହାଯ୍ୟ ପାଇଁ ମଧ୍ୟ ପ୍ରତିଶୃତି ମିଳିଛି । ଏପରିକି ସେ ପାହାଡ କାଟିବା ପାଇଁ ଯେତିକି ଦିନ ବ୍ୟୟ କରିଛନ୍ତି ସେ ବାବଦକୁ ପାରଶ୍ରମିକ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜଳନ୍ଧରଙ୍କ ଏଭଳି ପ୍ରୟାସ ସାମ୍ନାକୁ ଆସିବା ପରେ ଏବେ ଚାରିଆଡୁ ପ୍ରଂଶସାର ସୁଅ ଛୁଟୁଛି ।