ଏଭରେଷ୍ଟ ପାଲଟୁଛି ଅଳିଆଗଦା ! ପର୍ବତାରୋହୀଙ୍କ ବର୍ଜ୍ୟରେ ମଳିନ ହେଉଛି ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ।

51

ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଏବେ ଅଳିଆ ଗଦାରେ ପରିଣତ ହୋଇଗଲାଣି । ଦିନକୁ ଦିନ ମାଉଣ୍ଟ ଏଭରେଷ୍ଟରେ ଗୋଟିଏ ପରେ ଗୋଟିଏ ଇତିହାସ ଲେଖାଯାଉଛି । କିନ୍ତୁ ପର୍ବତାରୋହୀମାନେ ପଛରେ ଛାଡି ଆସୁଛନ୍ତି ଅନେକ ବର୍ଜ୍ୟବସ୍ତୁ । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ପରିବେଶ ସୁରକ୍ଷା କର୍ମୀ । ପର୍ବତାରୋହଣ ବେଳେ ବ୍ୟବହାର ହେଉଥିବା ସାମଗ୍ରୀର ଅଳିଆ, ଖାଲି ଗ୍ୟାସ୍ କେନ୍ ଏବଂ ମାନବିକ ଆବର୍ଜନା ଏଭରେଷ୍ଟ ରାସ୍ତାରେ ପ୍ରଚୁର ମାତ୍ରାରେ ପଡିରହିଛି ।
ତେବେ ଚଳିତ ବର୍ଷ ମାଉଣ୍ଟ ଏଭରେଷ୍ଟକୁ ୬୦୦ ଜଣ ଚଢିଛନ୍ତି । ପ୍ରତିବର୍ଷ ପର୍ବତାରୋହୀ ମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବାରୁ ଆବର୍ଜନା ଦୃଷ୍ଟିକୋଣରୁ ସ୍ଥିତି ଜଟିଳ ହେବାରେ ଲାଗିଛି ।

ପର୍ବତାରୋହଣକାରୀ ଛାଡି ଆସୁଥିବା ବ୍ୟବହାର୍ଯ୍ୟ ସାମଗ୍ରୀ ସେଠାରେ ଜମି ରହୁଥିବାରୁ ଏହା ଆବର୍ଜନାରେ ପରିଣତ ହେଉଛି । ତେବେ ଏହି ଆବର୍ଜନା ଗୁଡିକୁ ସଫା କରାଯାଉନଥିବାରୁ ଗତ ୬୫ ବର୍ଷ ମଧ୍ୟରେ ମାଉଣ୍ଟ ଏଭରେଷ୍ଟ ବିଶ୍ୱର ସର୍ବୋଚ୍ଚ ଆବର୍ଜନାମୟ ସ୍ଥାନର ପରିଚୟ ଲାଭ କଲାଣି । ଏହାର ସବୁଠାରୁ ବଡ ପରିଣାମ ହେଉଛି ଉତ୍ତାପ ବୃଦ୍ଧି ପାଇବା ସହ ବରଫଖଣ୍ଡ ତରଳିବା । ଜଳଉତ୍ସ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି ।

ବରଫ ତରଳିବାରେ ଲାଗିଥିବା ବେଳେ ପର୍ବତରେ ଜମା ହୋଇଥିବା ଅଳିଆ ଧିରେ ଧିରେ ଅଧିକ ଦେଖାଯିବାରେ ଲାଗିଛି । ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏଭରେଷ୍ଟ ବ୍ୟବସାୟ ବ୍ୟାପକ ବଢିଛି । ପର୍ବତାରୋହଣ ବେଳେ ସ୍ୱଚ୍ଛତା ନେଇ କଡାକଡି ନିୟମ ରହିଛି । କିନ୍ତୁ କିଛି ଅସାଧୁ ପ୍ରବୃତ୍ତିର ଅଧିକାରୀ ଲାଞ୍ଚ କାରବାରରେ ସମ୍ପୃକ୍ତ ରହି ନିଜ ଦାୟିତ୍ୱ ପ୍ରତି ଅଣଦେଖା କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।