ମଦ ଦୋକାନରେ ମରୁଡି ! ନୂଆ ମୋଟରଯାନ ଆଇନ ଆସିବା ପରେ କମିଲା ବାର-ରେଷ୍ଟୁରାଣ୍ଟର ବେପାର

5,961

କନକ ବ୍ୟୁରୋ: ନିୟମ କଡାକଡି ହେଲା ମଦ ଦୋକାନରେ ଗହଳି କମିଲା । ନୂଆ ମୋଟରଯାନ ଆଇନ ଲାଗୁ ପରେ ମଦ ଦୋକାନରେ ଚଡକ ପଡିଲା । ଟ୍ରାଫିକ ବ୍ୟବସ୍ଥା ଟାଇଟ ହେବା ପରେ ମଦ ଦୋକାନରେ ଦେଖାଦେଇଛି ମରୁଡି ପରିସ୍ଥିତି । ପୂର୍ବରୁ ମଦ ଦୋକାନ, ବିୟର ବାର୍ ଏବଂ ରେଷ୍ଟୁରାଣ୍ଡରେ ଯେଉଁ ଗହଳି ଲାଗୁଥିଲା ନୂଆ ନିୟମ କାର୍ଯ୍ୟକାରୀ ହେବା ପରେ ସେ ଗହଳି କମିଛି, ସେ ଭିଡ ଭାଙ୍ଗିଛି । କାରଣ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କୁ ଚେତାବନୀ ଦିଆଯାଇଛି, ଜରିମାନାର ଭୟ ଘାରିଛି । ଯଦି ମଦୁଆ ଡ୍ରାଇଭର ଟ୍ରାଫିକ ପୋଲିସ ହାବୁଡରେ ପଡନ୍ତି ତେବେ ତଣ୍ଡ ଗଣିବା ସହ ଜେଲ ମଧ୍ୟ ଯାଇପାରନ୍ତି । ତେଣୁ ଟ୍ରାଫିକ ଡରରେ ମାତାଲ ଡ୍ରାଇଭରଙ୍କ ମାତ୍ରା କମିଛି ଆଉ ଏହାର ସିଧାସଳଖ ପ୍ରଭାବ ବାର୍ ରେଷ୍ଟୁରାଣ୍ଟରେ ପଡିଛି ।

ତେବେ ନୂଆ ନିୟମରେ ମଦୁଆ ଡ୍ରାଇଭରଙ୍କୁ ମହାଛାଟ ମରା ଯାଇଛି । ଯଦି କେହି ମଦ୍ୟପାନ କରି ଗାଡି ଚଳାଉଥିବାର ଧରାପଡନ୍ତି ତେବେ ତାଙ୍କୁ ୧୦ ହଜାର ଟଙ୍କା ଜରିମାନ ଦେବାକୁ ପଡିବ ନଚେତ ୬ ମାସ ଜେଲ ଯିବାକୁ ମଧ୍ୟ ପଡିବ । ଆଉ ଯଦି ଉକ୍ତ ଡ୍ରାଇଭର ବାରମ୍ବାର ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ସହ ୨ ବର୍ଷ ମଧ୍ୟ ଜେଲ ହୋଇପାରେ । ତେଣୁ ଜରିମାନା ସହ ଜେଲ ଯିବାର ଭୟ ଥିବାରୁ ମଦୁଆ ଡ୍ରାଇଭରଙ୍କ ସଂଖ୍ୟା କମିଛି । ଆଉ ମଦ ଦୋକାନରେ ଗ୍ରାହକଙ୍କ ଗହଳି ମଧ୍ୟ କମିବାରେ ଲାଗିଛି ବୋଲି ବାର ମ୍ୟାନେଜରମାନେ କହିଛନ୍ତି ।

ସେପ୍ଟେମ୍ବର ମାସ ପୂର୍ବରୁ ବିୟର ପାର୍ଲରରେ ଯେଉଁ ଭଳି ବିକ୍ରି ହେଉଥିଲା ସେପ୍ଟେମ୍ବର ୧ ପରେ ଅର୍ଥାତ ନିୟମ ଲାଗୁ ପରେ ମଦ ଦୋକାନରେ ବିକ୍ରି ଆଶାତିତ କମିଛି । ଗତ ଦୁଇ ଦିନ ମଧ୍ୟରେ ମଦ ଦୋକାନରେ ମାନ୍ଦାବସ୍ଥା ଦେଖାଦେଇଛି । ଯେଉଁ ବାରକୁ ଗୋଟିଏ ଦିନରେ ୧୫୦ରୁ ଅଧିକ ଲୋକ ଯାଉଥିଲେ ଏବେ ତାହା କମି ୫୦-୬୦ରେ ପହଞ୍ଚିଛ ବୋଲି ବାର ମ୍ୟାନେଜର ସମ୍ବିତ ରାଉତରାୟ ଟାଇମ୍ସ ଅଫ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଓଡିଶାରେ ୫୩୨ଟି ବାର ରେଷ୍ଟୁରାଣ୍ଟ , ୯୫ଟି ବିୟର ପାର୍ଲର ରହିଥିବା ବେଳେ କେବଳ ଭୁବନେଶ୍ୱରରେ ରହିଛି ୬୩ଟି ବାର ରେଷ୍ଟୁରାଣ୍ଟ , ୪୨ଟି ମଦ ମିଳୁଥିବା ହୋଟେଲ କ୍ଲବ ସହ ୧୪ଟି ବିୟର ପାର୍ଲର । ତେବେ ନିୟମ ଲାଗୁ ପରେ ଏ ସମସ୍ତ ବାରକୁ ଗ୍ରାହକଙ୍କ ପାଦ ପଡିବା କମିଯାଇଛି ।

ସେପଟେ ଗତ ବର୍ଷ ୩୫ ପ୍ରତିଶତ ଲୋକ ଅର୍ଥାତ ୫ ହଜାର ୩୧୫ ଜଣ ଲୋକଙ୍କ ଜୀବନ ମଦ କାରଣରୁ ଯାଇଛି । ଏହାକୁ କମାଇବା ପାଇଁ ନୂଆ ଆଇନରେ ମଦ୍ୟପ ଚାଳକଙ୍କ ପାଇଁ ନିୟମ କଡାକଡି କରାଯାଇଛି । ତେବେ ପୋଲିସର ସୂଚନା ଅନୁସାରେ ସେପ୍ଟେମ୍ବର ପୂର୍ବରୁ ଦିନକୁ ୧୫ ଜଣ ମଦୁଆ ଡ୍ରାଇଭରଙ୍କ ଉପରେ ଜରିମାନା ହେଉଥିଲା ମାତ୍ର ସେପ୍ଟେମ୍ବର ୧ ପରେ ଅର୍ଥାତ ଏହି ୨ ଦିନ ଭିତରେ କେବଳ ୫ ଜଣ ମଦୁଆ ଡ୍ରାଇଭରଙ୍କ ଉପରେ ଫାଇନ ପଡିଛି । ଯାହା ମଦୁଆ ଡ୍ରାଇଭର କମୁଥିବାର ସୂଚନା ଦେଉଛି ।