ଅଭିଜିତଙ୍କୁ ‘ଓଡ଼ିଶା’ ପାଠ ପଢ଼ିବାକୁ ପରାମର୍ଶ

ଓଡ଼ିଶା କଳା, ସଂସ୍କୃତି ପୁସ୍ତକ ତାଙ୍କୁ ଦେବାକୁ କୁହାଯାଇଛି

123

କନକ ବ୍ୟୁରୋ: ଅଭିଜିତ୍ ଆୟାରଙ୍କୁ କ୍ଷମା ଦେଲା ବିଧାନସଭା । ତେବେ ଓଡ଼ିଶାର କଳା ସଂସ୍କୃତି ଓ ଇତିହାସ ସଂପର୍କରେ ପଢ଼ିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ଗୃହ କମିଟି । ଏ ନେଇ ପୁସ୍ତକ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଅନୁରୋଧ କରାଯାଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ବିଧାୟକଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାରଙ୍କ ଉପରେ ଆଜି ବିଧାନସଭାରେ ରିପୋର୍ଟ ଦାଖଲ କରିଛି ଗୃହ କମିଟି । ଏଥିରେ ଅଭିଜିତଙ୍କ ନିସର୍ତ କ୍ଷମାପ୍ରାର୍ଥନାକୁ ଗ୍ରହଣ କରିବାକୁ ସୁପାରିଶ କରାଯାଇଥିଲା ।

Narasingh-Mishra

ବିଧାନସଭାରେ ଏହାକୁ ତର୍ଜମା କରିବା ପରେ ତାଙ୍କୁ କ୍ଷମା କରି ଦିଆଯାଇଛି । ତେବେ ବାହାର ଲୋକଙ୍କୁ ଆଣି ଓଡ଼ିଶା ବୁଲାଇବା ବେଳେ ରାଜ୍ୟର ବଳିଷ୍ଠ କଳା ସଂସ୍ମୃତି ସଂପର୍କରେ ଅବଗତ କରିବାକୁ ପରାମର୍ଶ ଦେଇଛନ୍ତି ଗୃହ କମିଟି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ଓଡ଼ିଶା ଆସିଥିଲେ ଅଭିଜିତ୍ ଆୟାର । ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେବା ଭଳି ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଅଭିଜିତ୍ । ଏ ନେଇ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

ସେପଟେ, ଅଭିଜିତ୍ ଆୟାରଙ୍କୁ ଦଣ୍ଡବିଧାନ ନେଇ ଗୃହ କମିଟିରେ ପ୍ରକାଶ ପାଇଛି ଭିନ୍ନ ମତ । ବିଜେପି ବିଧାୟତ ତଥା ଗୃହ କମିଟିର ସଦସ୍ୟ ଥିବା ପ୍ରଦୀପ ପୁରୋହିତ କହିଛନ୍ତି ଅଭିଜିତଙ୍କ ବିରୋଧରେ ନିଆଯାଉଛି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । କ୍ଷମା ମାଗିବା ପରେ ତାଙ୍କୁ ଛାଡି ଦିଆଯିବ ବୋଲି ଗୃହ କମିଟିରେ ନିଷ୍ପତି ନିଆଯାଇଥିଲା । କିନ୍ତୁ ସେ କ୍ଷମା ମାଗିବା ପରେ ମଧ୍ୟ ମାସେରୁ ଅଧିକ ସମୟ ଜେଲରେ ରହିଲେଣି । ଏହା ଦ୍ୱାରା ଓଡିଶା ବିଶ୍ୱ ଦରବାରରେ ନିନ୍ଦିତ ହେଉଛି । ଅନ୍ୟପଟେ ବିଜେଡି ବିଧାୟକ ତଥା କମିଟିର ଅନ୍ୟତମ ସଦସ୍ୟ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଆଇନ ଅନୁଯାୟୀ କାର୍ଯ୍ୟ କରାଯାଉଛି ।