କନକ ବ୍ୟୁରୋ : ଡାକ୍ତର ମୋତିଲାଲ ଗୌଡଙ୍କ ବଢିଲା ଅଡୁଆ । ଗଜପତି ମୋହନା ବ୍ଲକ ଚାନ୍ଦିପୁଟରେ ଥିବା ପୈତୃକ ଘର ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱରରେ ଥିବା ସରକାରୀ କ୍ୱାର୍ଟର ଓ ୫ଟି ସ୍ଥାନରେ ଥିବା ଡାଇଗ୍ନୋଷ୍ଟିକ ସେଂଟର ଉପରେ ଚଢାଉ ଜାରି ରହିଛି । ଭିଜିଲାନ୍ସର ୭ ଜଣିଆ ସ୍ୱତନ୍ତ୍ର ଟିମ ଚାନ୍ଦିପୁଟ ଘରେ ପହଂଚି ଛାନଭିନ କରୁଛି । ଜଣେ ଡିଏସପିଙ୍କ ନେତୃତ୍ୱରେ ଏହି ଟିମ ଗଠନ କରାଯାଇଛି । ମୋତିଲାଲ ଗୌଡ ଫ୍ୟାକଟ୍ରିଜ୍ ଆଣ୍ଡ ବ୍ରଏଲର୍ସ ବିଭାଗର ନିଲମ୍ବିତ ସହକାରୀ ନିର୍ଦ୍ଦେଶକ । ମୋତିଲାଲ ପଦବୀର ଅପବ୍ୟବହାର କରି କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆସିବା ପରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । କିନ୍ତୁ ବିଜେଡି, ମୋତିଲାଲଙ୍କୁ ଘଂଟ ଘୋଡାଉଥିବା ଅଭିଯୋଗ ହୋଇଥିଲା ।

ମୋତିଲାଲ ପଦବୀର ଅପବ୍ୟବହାର କରି କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ଅନୁକମ୍ପା ଦେଖାଇଥିବା ମାମଲାରେ ବ୍ରହ୍ମପୁରରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଅଶୋକ ନଗର ପଂଚମ ଲାଇନରେ ଥିବା ଡାକ୍ତର ମୋତିଲାଲ ଗୌଡଙ୍କ ଶ୍ୱଶୁର ଘରେ ଚଢାଉ ହୋଇଛି । ଭିଜଲାନ୍ସର ଏକ ୫ ଜଣିଆ ଟିମ୍ ଆସି ଚଢାଉ କରିଛନ୍ତି । ସେପଟେ କଟକରେ ମଧ୍ୟ ତନାଘନା ଚଳାଇଛି ଭିଜିଲାନ୍ସ । କଟକର ୨ଟି ସ୍ଥାନରେ ରେଡ ଚାଲିଛି । ମିଳିଥିବା ସୂଚନା ଅନୁସାରେ ଜଗତପୁରର ଏକ ଘରୋଇ ନର୍ସିଂହୋମ ଓ ମଙ୍ଗଳାବାଗର ଏକ ଡାଇଗ୍ନୋଷ୍ଟିକ ସେଂଟରରେ ରେଡ ଚାଲିଛି । ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା କୁହାଯାଉଛି ।