ମୈଦାନରେ ମା’! ନୂଆ ଚିନ୍ତାଧାରା ସହ ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ

59

କନକ ବ୍ୟୁରୋ : ବିଶାଳ ବିଜୟ ସହ ସିରିଜ୍ ଜିତିଲା ଭାରତ । ଶେଷ ଦିନିକିଆରେ ୭୯ ରନରେ ନ୍ୟୁଜିଲାଣ୍ଡକୁ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ । ତେବେ  କ୍ରିକେଟ୍ ଇତିହାସରେ ହୁଏତ ଆଜିର ଦିନଟି ସବୁଦିନ ପାଇଁ ମନେ ରହିବ । କାରଣ ଏକ ନୂଆ ଭାବନା ନେଇ କ୍ରିକେଟ ମୈଦାନରେ ଭାରତୀୟ ଖେଳାଳି ଆସିଥିଲେ । ମା’ର ସମ୍ମାନ ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ଗେହ୍ଲା ପୁଅମାନେ । ସେହି ଖେଳାଳି, ସମାନ ଜର୍ସି । ହେଲେ ବଦଳି ଯାଇଛି ଜର୍ସିର୍ ପଛର ନା’ । କୋହଲି ସ୍ଥାନରେ ସରୋଜ, ଧୋନି ସ୍ଥାନରେ ଦେବକୀ ଏବଂ ରାହଣେଙ୍କ ସ୍ଥାନରେ ସୁଜାତା । ହୁଏତ ଏହି ସବୁ ନା’ ଆଗରୁ ଆପଣ କେବେ ଶୁଣି ନଥିବେ । କାହିଁକି ନା ବାପାଙ୍କ ନାଁରେ ହିଁ ଆମେ ପରିଚୟ ପାଇଥାଉଁ । ମାତ୍ର ଏବେ ସମୟ ବଦଳିଛି ।

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଦେଖିବାକୁ ମିଳିଛି ଏମିତି ଏକ ନିଆରା ଦୃଶ୍ୟ । ମା’ଙ୍କ ନା ଥିବା ସର୍ଜିି ପିନ୍ଧି ମୈଦାନକୁ ଓହ୍ଲାଇଛନ୍ତି ଭାରତୀୟ ଖେଳାଳି । ଜଣେ ଖେଳାଳିଙ୍କ ଖ୍ୟାତି ପଛରେ ବାପାଙ୍କ ଯେତିକି ହାତ ରହିଛି, ଠିକ୍ ସେହିପରି ମାମାନଙ୍କର ବି ସମାନ ସହଯୋଗ ରହିଛି । ଆଉ ଏହି ବାର୍ତା ହିଁ ଦେଉଛନ୍ତି ଭାରତୀୟ ଖେଳାଳି ।

ଟିଭି ଚ୍ୟାନେଲ ଷ୍ଟାର ପ୍ଲସ୍ ଏବଂ ବିସିସିଆଇ ମିଳିତ ଭାବରେ ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ-ନୟି ସୋଚ୍ । ପୁରୁଷ ଏବଂ ମହିଳାଙ୍କ ଭିତରେ ଆମ ସମାଜରେ ଥିବା ତାରତମ୍ୟ ଦୂର କରିବା ଉଦ୍ଦେଶ୍ୟ ହେଉଛି ଏହି ଅଭିଯାନର ଲକ୍ଷ୍ୟ ।

ପିଲାଙ୍କୁ ମଣିଷକରି ଗଢ଼ିତୋଳିବାରେ ମା’ର ଭୂମିକା ଏବଂ ପୁରୁଷପ୍ରାଧାନ୍ୟ ସମାଜରେ ଥିବା ଭେଦଭାବ ଦୂର ନେଇ ଯେଉଁ ବାର୍ତାଟି ଏହି ଅଭିଯାନ ଦେଉଛି ତାହା ନିଶ୍ଚିତ ଭାବରେ ଯୁବପୀଢ଼ଙ୍କ ମଧ୍ୟରେ ପ୍ରେରଣା ଆଣିଦେବ ।