ସ୍ୱର୍ଗଠାରୁ ବଡ, ପୁଣି ଇଶ୍ୱରଙ୍କଠୁ ମହାନ୍ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’ । ନିଜେ ସହିଥାଏ ଦୁଃଖ-ଯନ୍ତ୍ରଣା, ସନ୍ତାନ ପାଇଁ ବିଛାଏ ସ୍ନେହର ବିଛଣା ।

321

                     ତା ଆଖିରେ ମଣିଷ ତ ଦୁନିଆକୁ ଦେଖେ..
                     ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ..
                     ତା କୋଳେ ଥାଏ ସରଗ ସୁଖ..
                     ପଣତରେ ପୋଛେ ଜୀବନ ଦୁଃଖ..

କନକ ବ୍ୟୁରୋ : ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା’ । ମା’ ଏଭଳି ସଜ୍ଞା, ଯାହାକୁ ଶବ୍ଦରେ ବଖାଣିହେବନି । ଯିଏ ସବୁଠାରୁ ନିଜର । ଯିଏ ହାତ ଧରି ବାଟ ଚାଲିବା ଶିଖାଏ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମାଆ । ଏହା କେବଳ ଏକ ଡାକ ନୁହେଁ ଏଥିରେ ସୀମିତ ସାରା ବିଶ୍ୱ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଅର୍ଥ ବ୍ୟାପକ। ୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯେ ସଂସାରକୁ ଆଣେ ସେ ହେଉଛି ମା’ । ସନ୍ତାନର ଅଳିଅଝଟକୁ ପୁରଣ କରି କୋଳେଇ କାଖେଇ ବଡ କରୁଥିବା ମଣିଷଟି ହେଉଛି ମା’ ।

ଆଜି ହେଉଛି ସେହି ମା’ର ଦିନ । ଯେ ପିଲାଟିବେଳୁ ନିଜେ ନଖାଇ ଛୁଆର ପେଟକୁ ଆଗ ଦେଖେ । ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ଜୀବନର ସବୁ ଦୁଃଖ କଷଣକୁ ମଥା ପାତି ସହିଯାଏ । ଭୋକ ଲାଗିବା ଆଗରୁ ପେଟ ଚିହ୍ନି ଖାଇବା ବାଢ଼ିଦିଏ । ଦେହ ପା ଖରାପ ହେଲେ ସାରା ରାତି ଚେଇଁ ରହେ। ସେଇଥି ପାଇଁ ତ ସେ ମା’ । ସ୍ୱର୍ଗଠାରୁ ବଡ଼, ପୁଣି ଈଶ୍ୱରଙ୍କଠୁ ମହାନ। ସେଇ ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଆଜି ଦିନଟି ଉତ୍ସର୍ଗ ।

ଆଜି ସାରା ବିଶ୍ୱ ପାଳୁଛି ମାତୃ ଦିବସ । କିଏ ମା’ଙ୍କୁ ଉପହାର ଦେଉଛି ତ ଆଉ କିଏ କେକ୍ କାଟି ମା’ଙ୍କୁ ସମ୍ମାନ ଜଣାଉଛି । ସାରା ବିଶ୍ୱରେ ମାତୃ ଦିବସର ଝଲକ ଦେଖିବାକୁ ମିଳୁଛି । ଏପରିକି ସୋସିଆଲ ମିଡିଆ (ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ୍)ରେ ମାଙ୍କ ଉଦ୍ଦେଶ୍ୟରେ ଅନେକ ଷ୍ଟାର୍ଟସ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ଏମିତି ଅନେକ ମା ଅଛନ୍ତି, ଯିଏକି ନିଜ ପିଲାକୁ ଏକ ସୁନ୍ଦର ଜୀବନ ଦେବା ପାଇଁ ସଂଘର୍ଷ କରୁଛନ୍ତି । ଦୁଇ ଓଳି ଖାଇବାକୁ ପାଉନାହାନ୍ତି ସତ, କିନ୍ତୁ ନିଜ ପିଲାଙ୍କୁ ଠିକ୍ ଧନୀ ଘର ପିଲା ପରି ସ୍ନେହ ଶ୍ରଦ୍ଧା ଦେଉଛନ୍ତି । ପାଖରେ ଅର୍ଥ ନାହିଁ ସତ, କିନ୍ତୁ ମନରେ ଆଉ ହୃଦୟରେ ରହିଛି ଭଲ ପାଇବା, ସ୍ନେହ ଶ୍ରଦ୍ଧାର ସମୁଦ୍ର । ଧନୀ ଘର ମା’ ନିଜ ପିଲାଙ୍କୁ ଯେତିକି ଆଦର କରିଥାଏ ଗରିବ ମା’ଟିଏ ମଧ୍ୟ ଠିକ୍ ସେମିତି ନିଜ ପିଲର ଯତ୍ନ ନେଇଥାଏ । ସେଇଥାପାଇଁ ତ କୁହାଯାଏ ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମା’ । ଏମିତି ମା’ଙ୍କୁ ମାତୃ ଦିବସରେ ସଲାମ୍ ଜଣାଉଛି କନକ ନ୍ୟୁଜ୍ ।