ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ ! ଦିନ ମଜୁରିଆ ଭାବେ କାମ ଆରମ୍ଭ କଲେ ମା’, କଠିନ ପରିଶ୍ରମ କରି ଦୁଇ ପୁଅଙ୍କୁ କଲେ ଡାକ୍ତର ।

1

ଯେତେ ବିପଦ ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ମା’ ସବୁବେଳେ ନିଜ ପଣତ ତଳେ ପୁଅକୁ ସୁରକ୍ଷିତ ରଖିଥାଏ । ସବୁ ବାଧାବିଘ୍ନକୁ କାଟି ସେ ନିଜ ପୁଅ ପାଇଁ ସବୁକିଛି ଅଜାଡି ଦେଇଥାଏ । ମା’ର ଏଭଳି ବଳିଦାନର ଚିତ୍ର ଦେଖିବାକୁ ମିଳିଛି ରାଜସ୍ଥାନ ଠାରେ । ରାଜସ୍ଥାନ ଜୋଧପୁର ଜିଲ୍ଲା ସମବାଡି ଗାଁର ବିମଳା ଦେବୀ ବିଶୋଇ ଜଣେ ଦିନ ମଜୁରିଆ ଅଟନ୍ତି । କିନ୍ତୁ କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ସେ ତାଙ୍କର ଦୁଇଜଣ ପୁଅକୁ ଡାକ୍ତର ବନାଇ ପାରିଛନ୍ତି । ଦୁଇ ଜଣ ପୁଅଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରୀ ପଢା ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି । ଏବଂ ଅନ୍ୟ ଜଣଙ୍କୁ ମେଡିକାଲ କଲେଜରେ ଆଡମିସନ୍ ମିଳିଯାଇଛି ।

ବିମଳା ଦେବୀ ବିଶୋଇଙ୍କ ସ୍ୱାମୀ ଶଙ୍କରଲାଲ ଜଣେ ଅବସରପ୍ରାପ୍ତ ସୈନିକ ଥିଲେ । କିନ୍ତୁ ୮ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ଏହା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା । ଘରେ ବିମଳା ଦେବୀ ହିଁ ଏକମାତ୍ର ରୋଜଗାରକ୍ଷମ ଥିଲେ । ସେ ପ୍ରତିଦିନ ଦିନ ମଜୁରିଆ ଭାବେ କାମ କରି ନିଜ ଦୁଇ ପୁଅ ଅଶୋକ ଏବଂ ଚନ୍ଦ୍ରମୋହନଙ୍କୁ ପାଠ ପଢାଇଥିଲେ । ବଡ ପୁଅ ଅଶୋକ ୨୦୧୩ ମସିହାରେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ପାସ ହୋଇଥିଲେ ଏବଂ ଏବେ ଉଦୟପୁର ମେଡିକାଲ କଲେଜରେ ତାଙ୍କ ପାଠପଢା ଶେଷ ହେବାକୁ ଯାଉଛି । ସେହିପରି ସାନ ପୁଅ ଚନ୍ଦ୍ରମୋହନ ଏଥର ପ୍ରବେଶିକା ପରୀକ୍ଷାରେ ପାସ ହେବା ସହ ବିକାନେର ମେଡିକାଲ କଲେଜରେ ଡାକ୍ତରୀ ପାଠପଢା ଆରମ୍ଭ କରିବେ । ଦୁଇ ଜଣ ଭାଇ ନିଜ ନିଜ ସଫଳତା ପାଇଁ ସମସ୍ତ ଶ୍ରେୟ ନିଜ ମାଙ୍କୁ ହିଁ ଦେଇଛନ୍ତି । ଏବେ ବିମଳା ଦେବୀ ବିଶୋଇ ମଧ୍ୟ କହିଛନ୍ତି ଯେ, ଦୁଇଜଣ ଡାକ୍ତରଙ୍କ ମା ହୋଇଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ।

Comments are closed.