ପଛୁଆ ଜିଲ୍ଲାରେ ଆଗରେ ଆଦିବାସୀ ମହିଳା: ପୁଅ ସହ ମାଟ୍ରିକ ପାସ୍ କଲେ ମାଲକାନଗିରିର ବାସନ୍ତି

ବିବାହ ପରେ ପାଠପଢାରେ ଲାଗିଥିଲା ଡୋରୀ

252

କନକ ବ୍ୟୁରୋ: କଥାରେ ଅଛି ଜୀବନରେ ଶିକ୍ଷାର କେବେ ଅନ୍ତ ନାହିଁ । ମଣିଷ ବଂଚିଥିବା ଯାଏଁ ଅଧ୍ୟୟନ କରିବା ସହ ଜ୍ଞାନ ଆହୋରଣ କରିପାରିବ । ଶିକ୍ଷା ଏଭଳି ଏକ ସଂପତି ଯାହାକି ମଣିଷଠାରୁ କେହି ଛଡାଇ ନେଇ ପାରିବେ ନାହିଁ । ଆଉ ଏଭଳି ଉକ୍ତିକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଭଳି ଆଦିବାସୀ ବହୁଳ ଅଂଚଳର ଆଦିବାସୀ ମହିଳା ବାସନ୍ତି ମୁଦୁଲୀ । ବିବାହ ପରେ ବାସନ୍ତୀଙ୍କ ପାଠପଢାରେ ଡୋରୀ ଲାଗିଥିବା ବେଳେ ଦୀର୍ଘ ବର୍ଷ ପରେ ବର୍ତ୍ତମାନ ବାସନ୍ତି ନିଜ ବଡ ପୁଅ ସହ ମିଶି ଦଶମ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି । ତେବେ ବାସନ୍ତିଙ୍କର ଏଭଳି ପ୍ରୟାସକୁ ସବୁ ମହଲରେ ବେଶ୍ ପ୍ରଶଂସା କରିଛନ୍ତି ।

 

ମାଲକାନଗିରି ଭଳି ପଛୁଆ ତଥା ଆଦିବାସୀ ବହୁଳ ଅଂଚଳରେ ଶିକ୍ଷାର ସ୍ତର ସଦା ସର୍ବଦା ନିମ୍ନଗାମୀ ଥିବା ବେଳେ ଏଠିକାର ଆଦିବାସୀ ଯୁବତୀଙ୍କ ଶିକ୍ଷା ବିଷୟରେ ନ କହିବା ଭଲ । ଏଠାରେ ଅଧିକାଂଶ ଆଦିବାସୀ ଯୁବତୀ ଅଳ୍ପ ଶିକ୍ଷିତ ହୋଇଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଯିବା ପରେ ଶିକ୍ଷା ସତେ ଯେମିତି ଏମାନଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଥାଏ । ତେବେ ଏଭଳି ସ୍ଥିତିରେ ବର୍ତ୍ତମାନ ଜଣେ ଆଦିବାସୀ ମହିଳା ବିବାହର ଦୀର୍ଘ ବର୍ଷ ପରେ ଅଧାରେ ଛାଡିଥିବା ପାଠ ପଢାକୁ ଆରମ୍ଭ କରି ନିଜ ପୁଅ ସହ ମିଶି ଦଶମ ଶ୍ରେଣୀ ପରୀକ୍ଷା ଦେଇ ଉତିର୍ଣ୍ଣ ହେବା ସମସ୍ତଙ୍କୁ ଚକିତ କରିଦେଇଛି ।

ଏ ହେଉଛି ମାଲକାନଗିରି ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ ତରଲାକୋଟା, ଏହି ଗ୍ରାମର ସି କଲୋନୀରେ ରହନ୍ତି ବାସନ୍ତି ମୁଦୁଲୀ । ବାସନ୍ତୀଙ୍କ ପାଠ ପଢାରେ ବହୁତ ଇଚ୍ଛା ଥିବା ବେଳେ ସେ ଅଳ୍ପ ବୟସରେ ବିବାହ କରିଥିବାରୁ ତାଙ୍କ ଶିକ୍ଷାରେ ଲାଗିଥିଲା ଡୋରୀ । ତେବେ ବାସନ୍ତି ବିବାହ ପରେ ଅଙ୍ଗନବାଡି କର୍ମୀ ଭାବେ କାମ କରିବା ସହ ଘର ସଂସାର କାମ ଜଂଜାଳରେ ଲାଗିପଡିଥିଲେ । ହେଲେ ଇତି ମଧ୍ୟରେ ବାସନ୍ତିଙ୍କ ପାଠପଢା ପ୍ରତି ଥିବା ଉତ୍ସାହ ମଳିନ ପଡିନଥିଲା । ତାଙ୍କ ବଡ ପୁଅ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବାସନ୍ତି ମଧ୍ୟ ଖାଲିଥିବା ସମୟରେ ପୁଅର ବହିକୁ ପଢି ନିଜକୁ ନିଜେ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲେ । ଆଉ ପୁଅ ସହ ମିଶି ଦଶମ ପରୀକ୍ଷା ଦେଇ କୃତିତ୍ୱ ମଧ୍ୟ ହାସଲ କରିଥିଲେ । ତେବେ ବାସନ୍ତିଙ୍କ ଏହି ସଫଳତାକୁ ନେଇ ତାଙ୍କର ପରିବାର ଲୋକେ ଏବଂ ଗ୍ରାମବାସୀ ଖୁସି ପ୍ରକାଶ କରିଥିବା ବେଳେ ସହାୟତା ମିଳିଲେ ଆଗକୁ ମଧ୍ୟ ନିଜ ପାଠପଢାକୁ ଜାରି ରଖିବେ ବୋଲି କହିଛନ୍ତି ବାସନ୍ତି ।

ଯେଉଁଠି ଶିକ୍ଷାର ଆଲୋକ ପହଂଚିବା କଷ୍ଟକର ସେଠୀ ବାସନ୍ତୀ ଅଙ୍ଗନବାଡି କର୍ମୀ ଭାବେ କାମ କରିବା ନିଜର ଘର ସଂସାରକୁ ଚଲାଇବା ସହ ପାଠପଢା ପାଇଁ ସମୟ ବାହାର କରିବା ତାଙ୍କ ଶିକ୍ଷା ପ୍ରତି ଥିବା ଆଗ୍ରହ ବେଶ୍ ବାରିହୋଇପଡୁଛି । ସେ ଶିକ୍ଷିତ ହେବା ସହ ନିଜ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ପିଲାଙ୍କୁ ମୌଳିକ ଶିକ୍ଷା ସୂଚାରୁ ରୂପେ ପ୍ରଦାନ କରୁଛନ୍ତି ।