ଆପଣଙ୍କୁ ହୁଏତ ଏହା ଏକ ଫିଲ୍ମ ପରି ଲାଗିବ କିନ୍ତୁ ଏହି ମେମୋରୀ ଗର୍ଲଙ୍କ କାହାଣୀ ନୂଆ ଆତ୍ମବିଶ୍ୱାସ ଦେବ ।  “ମେମୋରି ଗାର୍ଲ” ପ୍ରେରଣାଙ୍କ ପୁରା ନାଁ ପ୍ରେରଣା ଶର୍ମା । ସେ ହେଉଛନ୍ତି ମଥୁରାର ପଦ୍ମପୁର ଅଞ୍ଚଳର ବାସିନ୍ଦା । ପିଲାଟି ଦିନରୁ ମାଆ ଓ ଝିଅଙ୍କ ହାତ ଛାଡିଦେଇଥିଲେ ବାପା । ଏହାପରଠୁ ମାଆ ଉଷାଙ୍କ ସହିତ ରହି ଆସୁଛନ୍ତି ପ୍ରେରଣା । ସ୍ୱାମୀ ହାତଛାଡିଦେଲା  ପରେ ଆର୍ଥିକ ସ୍ଥିତି ମଧ୍ୟ ବେଶ କିଛି ଭଲ ନଥିଲା । ଏହା ପରେ ସମାଜର ଖଳପ୍ରକୃତିର ଲୋକଙ୍କ ଗହଣରେ ଅଣ ନିଶ୍ୱାସୀ ପରି ବଞ୍ଚିବାକୁ ଲାଗିଲେ ଦୁହେଁ ମାଆ ଓ ଝିଅ । ପ୍ରେରଣାକୁ ସାଙ୍ଗରେ ଧରି ମଥୁରା ଟାଉନସିପ୍ କୁ ୨୦୦୭ ମସିହାରେ ରହିବାକୁ ଆସିଥିଲେ । ସେଠାରେ ଉଷା ଝିଅ ପ୍ରେରଣାକୁ  ଷଷ୍ଠ ଶେଣ୍ରୀରେ ପଢ଼ାଇବାକୁ ନାମ ଲେଖାଇଲେ କିନ୍ତୁ ଆର୍ଥିକ ସମ୍ବଳ ଏତେ ଦୟନୀୟ ଥିଲା ଯେ ପ୍ରେରଣାଙ୍କ ସ୍କୁଲ ଫି ଦେବାପାଇଁ ମାଙ୍କ ପାଖରେ ଅର୍ଥ ନଥିଲା ।

 

ଝିଅର ଭବିଷ୍ୟତ ପାଇଁ କେମିତି ବା ହାର ମାନିଥାନ୍ତା ମାଆ । ପରିସ୍ଥିତିର ଦୃଢ଼ ମୁକାବିଲା କରି ମାଆ ଉଷା ଆରମ୍ଭ କରିଦେଲେ ସିଲେଇ କାମ । ଆଉ ଯାହା କିଛି ଅର୍ଥ ମିଳିଲା ସେଥିରେ ଝିଅକୁ ଭଲ ମଣିଷ କରିବା ପାଇଁ ଖର୍ଚ୍ଚ କରି ଚାଲିଲେ । ମାଆଙ୍କର ଏହି  ଜିଦ୍ ପ୍ରେରଣାଙ୍କ ମନୋବଳ ଦୃଢ଼ କରିବାରେ ଲାଗିଲା । ଆଉ ୨୦୧୬ କଲିକତାରେ ହେଉଥିବା “ହୁନର କି ଦମ ଦିଖାଓ”  ଏକ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ସମୟ ଆସିଲା ବେଳକୁ ଊଷାଙ୍କୁ ତାଙ୍କ ହାତର ମୁଦି ବିକ୍ରୀ କରିବାକୁ ପଡିଥିଲା  ।  ଏବଂ ଝିଅ ପ୍ରେରଣାଙ୍କୁ ସେହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପଠାଇଥିଲେ ମା  । ସେଠାରେ ପ୍ରେରଣା ପ୍ରଥମ ସ୍ଥାନ ସହ ଇଣ୍ଡିଆ ବୁକ ଅଫ ରେକର୍ଡ କରି ମାଆଙ୍କ ଆଶା ଭରଷାର ଏକ ପାହାଚ ଆଗକୁ ଚଢ଼ିଥିଲେ  ।

 

ସେହିବର୍ଷ ପ୍ରେରଣାଙ୍କୁ ଅଖିଳେଶ ଯାଦବ ସରକାର “ରାଣୀ ଲକ୍ଷ୍ମୀବାଇ”ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଲିମକା ବୁକ୍ ରେକର୍ଡ, ଏସିଆ ବୁକ୍ ରେକର୍ଡ ଏବଂ ୨୦୧୭ ମସିହାରେ ଆମେରିକା ପ୍ରତିଯୋଗୀଙ୍କ ରେକର୍ଡ ଭାଙ୍ଗି ଗିନିଜ ବୁକ୍ ରେକର୍ଡ କରି ଭାରତର ନାଁ କୁ ଗୌରାବନ୍ୱିତ କରି ଦେଖେଇଥିଲେ ପ୍ରେରଣା । ପ୍ରେରଣାଙ୍କୁ ଯେତେବେଳେ ସମସ୍ତେ ପ୍ରଶ୍ନ କରନ୍ତି ସେତେବେଳେ ତାଙ୍କ ମା ଉଷାଙ୍କୁ ସବୁ ଶ୍ରେୟ ଦେବା ସହ ମାଆଙ୍କ ବଳିଦାନକୁ ସାକାର କରୁଛି ବୋଲି କୁହନ୍ତି । ଏକଥାରୁ ପ୍ରମାଣିତ ଯେ ପ୍ରକୃତରେ ମାଆ ପରି କେହି ନାହିଁ ଏ ଜଗତେ । ଭବିଷ୍ୟତରେ  ଭାରତରେ ପ୍ରଥମ ମେମୋରୀ ସ୍କୁଲ ଖୋଲିବା ତାଙ୍କର ସ୍ୱପ୍ନ ବୋଲି କୁହନ୍ତି ପ୍ରେରଣା ।