ଦାରିଦ୍ର୍ୟର ଭୟାବହ ପରିଣତି ! ଝିଅକୁ ମାରି ପୋଖରୀରେ ଫିଙ୍ଗିଦେଲା ମା’, ଖାଇବାକୁ ମାଗିବାରୁ ରାଗିଯାଇ ହତ୍ୟା କରିଥିବା ଅଭିଯୋଗ

73

କନକ ବ୍ୟୁରୋ: ଦାରିଦ୍ର୍ୟ ଓ ପାରିବାରିକ କଳହର ଭୟାବହ ପରିଣତି । ଯାଜପୁର କୁଆଖିଆ ଥାନା ମୁଗୁପାଳ ପଂଚାୟତରେ ଝିଅକୁ ମାରି ପୋଖରୀରେ ଫିଙ୍ଗିଦେଲା ମା’ । ଝିଅଟି ବାରମ୍ବାର ଖାଇବାକୁ ମାଗିଥିଲା ହେଲେ ମା ଖାଇବାକୁ ଯୋଗାଇ ନପାରି ଉତକ୍ଷିପ୍ତ ହୋଇ ତଂଟି ଚିପି ମାରି ଦେଇ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ହତ୍ୟାକାରୀ ମା’କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଗୁପାଳ ଗାଁର ଦଳିତ ସାହି ନିକଟରେ ରହୁଥିବା ବିଜୟ ବେହେରାଙ୍କର ବୁଧବାର ଦିନ ପତ୍ନୀ ସୋନିଙ୍କ ସହ ଝଗଡ଼ା ହୋଇଥିଲା । ପରେ ବିଜୟ ବାହାଘରିଆ ବାଜା ବଜାଇବା ପାଇଁ ବାହାରକୁ ଚାଲି ଯାଇଥିଲେ । ଶନିବାର ସୁଦ୍ଧା ଘରକୁ ଫେରି ନଥିଲେ କି ଘର ଚଳାଇବା ପାଇଁ ସ୍ତ୍ରୀକୁ କିଛି ପଇସାପତ୍ର ଦେଇ ନଥିଲେ । ଏପଟେ ଘର ଚଳାଇବା ପାଇଁ ସୋନି ପାଖରେ ଟଙ୍କା ନଥିବାରୁ ସେ ଓ ତାର ଦୁଇ ସନ୍ତାନ ଦୁଇ ଦିନ ହେଲା କିଛି ଖାଇ ନଥିଲେ । ଶନିବାର ଦିନ ବଡ଼ ପୁଅ ଉପବାସରେ ଶୋଇ ପଡିଥିଲା । ଝିଅ କିନ୍ତୁ ଭୋକ ସହି ନପାରି ମା’କୁ ଖାଇବାକୁ ମାଗିଥିଲା ।

ମା’ ରାଗି ଯାଇ ଝିଅକୁ ସାଙ୍ଗରେ ଡାକି ନେଇ ଖଇରାବାଦ ଗାଁ ଆଡକୁ ଚାଲି ଯାଇଥିଲା । ଗାଁ ମୁଣ୍ଡରେ ଥିବା ଶଙ୍କରା ପୋଖରୀ ହୁଡ଼ାରେ ଝିଅର ତଣ୍ଟି ଚିପି ମାରିଦେବା ପରେ ପୋଖରୀ ମଧ୍ୟକୁ ଫୋପାଡି ଦେଇଥିଲା । ଏହି କାଣ୍ଡ ଭିଆଇବା ପରେ ସେ ତା ବାପଘର ଯାଜପୁର ସଦର ଥାନା ବରୁଆଁ ଅଂଚଳକୁ ପଳାଇ ଯାଇଥିଲା। ସେଠାରେ ପହଞ୍ଚି ବାପଘର ଲୋକଙ୍କ ଆଗରେ ସବୁ କଥା କହିଥିଲା । ବାପଘର ଲୋକେ ସବୁ ଜାଣିବା ପରେ ବିଜୟଙ୍କ ବଡ଼ଭାଇ ଅଜୟ ବେହେରାଙ୍କୁ ଆଜି ସକାଳେ ଖବର ଦେଇଥିଲେ ।

ଅଜୟ ବେହେରା ପୋଖରୀ ନିକଟକୁ ଯାଇ ପାଣିରେ ଶିଶୁ କନ୍ୟାର ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ । କୁଆଖିଆ ଥାନା ଏସ.ଆଇ ମଧୁମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ମା’ ପୁଲିସ ସମ୍ମୁଖରେ ଝିଅକୁ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଛି । ପୁଲିସ ଏ ସଂପର୍କରେ ଥାନାରେ କେସ୍ ନଂ-୪୭/୧୮ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । କୁଆଖିଆ ଥାନା ଅଧିକାରୀ ଆଶିଷ ସାହୁ ଘଟଣାର ତଦନ୍ତ କରୁଛନ୍ତି ।