ବଡବିଲରେ ଚାଂଚଲ୍ୟ ! ଝିଅର ମୃତ୍ୟୁ ପରେ ମା’ର ଆତ୍ମହତ୍ୟା, ବିବାହ ଭୋଜିକୁ ଯିବାକୁ ମନା କରିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ଝିଅ

52

କନକ ବ୍ୟୁରୋ: ମାଆ ଭୋଜିକୁ ସାଙ୍ଗରେ ନ ନେବାରୁ ୧୧ ବର୍ଷର ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟ କଲା। ଆଉ ଝିଅର ଏହି ଆକସ୍ମିକ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ମାଆ ଝିଅ ଶବ ସଂସ୍କାର କରି ସାରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ମାଆ ଝିଅଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଛି ୪ ବର୍ଷର ଏକମାତ୍ର ପୁଅଟି। ଏପରି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବାକଲହିଟଂ ଗାଁରେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼ବିଲ ପୌରାଞ୍ଚଳର ୮ ନମ୍ବର ଓ୍ଵାଡର ବାକଲହଟିଂ ଗାଁରେ ଦଶମା ବିରୁଆ(୩୨ ବର୍ଷ) ତାଙ୍କ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷର ଝିଅ ଭାରତୀ ବିରୁଆ ଓ ୪ ବର୍ଷର ପୁଅ ସହିତ ରହୁଥିଲେ। ଗତ ୨୭ ତାରିଖ ଦିନ ଏକ ବିବାହ ଉତ୍ସବରେ ଦଶମା ଚମ୍ପୁଆ ଯାଇଥିଲେ। ଦଶମାଙ୍କ ସହିତ ଝିଅ ଭାରତୀ ଯିବା ପାଇଁ ଯିଦ ଧରିଥିଲେ। ମାତ୍ର ସେ ସାଙ୍ଗେ ସାଙ୍ଗେ ଯାଇ ଫେରି ଆସିବେ ବୋଲି କହି ଝିଅ ଭାରତୀଙ୍କ ସାଙ୍ଗରେ ନ ନେଇ ଦଶମା ଚମ୍ପୁଆ ଯାଇଥିଲେ। ମାତ୍ର ଏହି ଘଟଣା ପରେ ଝିଅ ଭାରତୀ ବେକରେ ଫାଶି ଲଗାଇ ଝୁଲି ପଡ଼ିଥିଲା। ଏହି ଖବର ଚମ୍ପୁଆରେ ପହଞ୍ଚିଥିବା ଦଶମା ପାଇବା ମାତ୍ରେ ଘରକୁ ଫେରିଆସି ଝିଅର ମୃତଦେହ ଦେଖି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

ଗତକାଲି ଭାରତୀଙ୍କ ମୃତଦେହ ବ୍ୟବଛେଦ ପରେ ଦଶମାଙ୍କୁ ହସ୍ତାନ୍ତର କରାଯାଇଥିଲ ଓ ଦଶମା ବିଧି ମୁତାବକ ଭାରତୀଙ୍କ ଶବ ସଂସ୍କାର କରିଥିଲେ। ମାତ୍ର ତା ପରଠାରୁ ଭାରତୀଙ୍କୁ ଝୁରୁ ଝୁରି ଦଶମା ନିଜେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତିନେଇ ସମାନ ଢଙ୍ଗରେ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ଦଶମାଙ୍କ ଆତ୍ମହତ୍ୟା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।