ହଜିଗଲା ମାନବିକତା, କେହି ବଢାଇଲେନି ସହାୟତାର ହାତ ! ଟଙ୍କା ଅଭାବରୁ ପୁଅର ଶବକୁ ଟ୍ରଲିରେ ନେଲେ ମା’ ।

36

କୌଣସି ଦୁର୍ଗମ ଅଞ୍ଚଳରେ ନୁହେଁ, ବରଂ ସୁନ୍ଦରଗଡ଼ ସହରର ଓ୍ଵାର୍ଡ଼ ନଂ-୧୬ରେ ମହାପ୍ରୟାଣ ଗାଡ଼ି ପାଇଁ ଟଙ୍କା ଦେଇନପାରି ଜଣେ ଦରିଦ୍ର ବିଧବା ମା’ ନିଜ ପୁଅର ଶବକୁ ଟ୍ରଲିରେ ନେବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଥିଲା ଗତ ଜୁଲାଇ ୩୦ ତାରିଖରେ । ଆଜି ଏହି ଲଜ୍ଜାଜନକ ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ସୁନ୍ଦରଗଡ଼ ପୌରପାଳିକାର ଲୁହୁରାଢ଼ିପା ପଡ଼ାର ଟିକେଶ୍ୱର ରୋହିଦାସ (୨୫)ଙ୍କ ଦେହ ଅସୁସ୍ଥ ହେବାରୁ ଗତ ୨୩ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତ ୨୯ ତାରିଖ ରାତି ପ୍ରାୟ ୨ଟାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ପୁଅର ମୃତଦେହ ନେବାକୁ ବିଧବା ମା’ ମୀରା ମହାପ୍ରୟାଣ ଗାଡ଼ି ଚାଳକଙ୍କୁ ଅନୁରୋଧ କରିଥିଲେ । ତେବେ ଗାଡ଼ି ଚାଳକ ୟୁଜର୍ସ ଫି’ ବାବଦକୁ ୩ଶହ ଟଙ୍କା ଦାବି କରିଥିଲେ । ଗୁରୁତର ଆର୍ଥିକ ଅନଟନରେ ଥିବା ମୀରା ଏତେ ଟଙ୍କା ଯୋଗାଡ଼ କରିବାକୁ ଅସାମର୍ଥ୍ୟ ପ୍ରକାଶ କରିବାରୁ ଗାଡ଼ି ଚାଳକ ମୃତ ଦେହ ନେବାକୁ ସିଧାସଳଖ ମନା କରିଦେଇଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ମୀରା ଗାଡ଼ି ଚାଳକଙ୍କୁ କାକୁତିମିନତି ହୋଇଥିଲେ ମଧ୍ୟ ସେ କିମ୍ବା ଅନ୍ୟ ଦେଖଣାହାରୀ କେହି ଶୁଣିନଥିଲେ । ଏଣୁ ବାଧ୍ୟ ହୋଇ କିଛି ପଡ଼ୋଶୀଙ୍କ ସହାୟତାରେ ଭୋର୍ ପ୍ରାୟ ୪ଟାରେ ମୀରା ଭେଣ୍ଡିଆ ପୁଅର ଶବକୁ ଟ୍ରଲିରେ ଲୁହୁରାଢ଼ିପା ସ୍ଥିତ ନିଜ ଘରକୁ ନେଇଥିଲେ ।