କମିସନରେଟ ପୁଲିସର ଅପରେସନ୍ କ୍ରିମିନାଲ କ୍ଲିନ୍ : ପୁଲିସ ଗୁଳିରେ ଘାଇଲା ଦୁର୍ଦାନ୍ତ ଅପରାଧୀ ତପନ ନାୟକ ଏସସିବିରେ ଭର୍ତି

41

କନକ ବ୍ୟୁରୋ :  କଟକ ବଡ ମେଡିକାଲର ସର୍ଜରୀ ୱାର୍ଡ ବେଡରେ ଅପରାଧୀ ତପନ ନାୟକ । ଦୁର୍ଦାନ୍ତ ଅପରାଧୀ ଅନୀଲ ଛୋଟରାୟର ମୁଖ୍ୟ ସହଯୋଗୀ ତପନକୁ ଏନକାଉଂଟର କରିଛି କମିସନରେଟ ପୁଲିସ । କଟକରେ ଦାଦାବଟି, ଟେଣ୍ଡର ଫିକ୍ସିଂ ଭଳି ବିଭିନ୍ନ ଅପରାଧର ବାଦଶାହା ହେଉଛନ୍ତି ରାଜା ଆଚାର୍ଯ୍ୟ ଓ ଅନୀଲ ଛୋଟରାୟ । ଅନୀଲ ଗିରଫ ହେବା ପରେ ତପନ ନୂଆ ଗ୍ୟାଙ୍ଗ ଗଠନ କରିବା ପାଇଁ ପ୍ଲାନ କରୁଥିବା ବେଳେ ପୁଲିସ ଏନକାଉଂଟରରେ ଘାଇଲା ହୋଇଛି । ତପନ ନାଁରେ କଟକ ମାଲଗୋଦାମ ଏବଂ ଜଗତପୁର ଅଂଚଳରେ ଦାଦାବଟି, ବୋମାମାଡ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଓ ଧର୍ଷଣ ଭଳି ଏକାଧିକ ମାମଲା ରହିଛି ।

ମୋଷ୍ଟ ୱାଂଟେଡ ତପନ ବାବଦରେ ଖବର ପାଇ, ମାଲଗୋଦାମ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଜୋବ୍ରା ନିକଟ ନଦୀକୂଳ ସାହିରେ ଚଢାଉ କରିଥିଲା । ସେଠାରେ ତପନକୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ବେଳେ ସେ ପୁଲିସ ଉପରକୁ ପ୍ରଥମେ ଗୁଳିମାଡ କରିଥିଲା । ଯାହାର ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା । ଯେଉଁଥିରେ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛି କୁଖ୍ୟାତ ଅପରାଧୀ ତପନ । ତାର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତା ପାଖରୁ ଗୋଟିଏ ବିଦେଶୀ ବନ୍ଧୁକ ଏବଂ ଏକ ରାଉଣ୍ଡ ଗୁଳି ଜବତ ହୋଇଛି ।