କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କଲା ନୟାଗଡ ପୋଲିସ୍ ! ରଣପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତିର ଥିଲା ମାଷ୍ଟରମାଇଣ୍ଡ ।

49

କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କଲା ନୟାଗଡ ପୋଲିସ୍ । ପୋଲିସ୍ ଗୁଳିରେ ପ୍ରାଣ ହରାଇଲା ଦୁର୍ଦ୍ଦାନ୍ତ ଅପରାଧି ଚଗଲା ମଲ୍ଲିକ୍ । ରଣପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତିର ମାଷ୍ଟରମାଇଣ୍ଡ ଥିଲା ଚଗଲା । ଚଗଲାର ଗ୍ୟାଙ୍ଗଷ୍ଟାର ଟିଟୋ ସହ ସମ୍ପର୍କ ଥିବା ଜଣାପଡିଛି । ନିଆଳି ଥାନା ରାଣିଓଳା ଗାଁର ଚଗଲାକୁ ବିଳମ୍ବିତ ରାତିରେ ଏନକାଉଣ୍ଟର କରିଛି ନୟାଗଡ ଓ ରଣପୁର ପୋଲିସର ମିଳିତ ଟିମ । ତାର ଦୁଇ ଗୋଡରେ ଦୁଇଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମେଡିକାଲ ନେବା ବାଟରେ ତାର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଚଗଲା ତାର ଜଣେ ସହଯୋଗୀ ସହ ନୟାଗଡରେ ବୁଲୁଥିବା ନେଇ ରଣପୁର ପୋଲିସକୁ ସୂଚନା ମିଳିଥିଲା ।

ପରେ ନୟାଗଡ ଟାଉନ ପୋଲିସ ସହାୟତାରେ ଏକ ମିଳିତ ଟିମ ଚଗଲା ଚଳପ୍ରଚଳ କରୁଥିବା ନବଘନପୁର ଅଂଚଳରେ ଚଢାଉ କରିଥିଲା । ତେବେ ଚଢାଉବେଳେ ଚଗଲା ଅତର୍କୀତ ଭାବରେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସର ପାଲଟା ଗୁଳି ଚଗଲାର ଦୁଇ ଗୋଡରେ ବାଜିଥିଲା । ଗୋଟିଏ ଗୁଳି ବାମ ଗୋଡରେ ବାଜି ବାହାରି ଯାଇଥିବା ବେଳେ ଅନ୍ୟ ଏକ ଗୁଳି ଡାହାଣ ଗୋଡରେ ବାଜିଛି ।