କେଉଁ ସହରରେ ରହିବେ ଆପଣ ! ପ୍ରକାଶ ପାଇଲା ଇଜ୍ ଅଫ୍ ଲିଭିଙ୍ଗ ସିଟି ତାଲିକା ୨୦୧୮ । ଜାଣନ୍ତୁ ଭୁବନେଶ୍ୱର କେଉଁ ସ୍ଥାନରେ

130

ଦେଶରେ ରହିବା ପାଇଁ ସବୁଠାରୁ ଉତ୍ତମ ସହର ତାଲିକା ‘ଇଜ୍ ଅଫ ଲିଭିଙ୍ଗ ସିଟି’ ୨୦୧୮ ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସହରୀବିକାଶ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ସ୍ମାର୍ଟ ନେଟ୍ ଦ୍ୱାରା ହୋଇଥିବା ସର୍ଭେରେ ଭାରତର ୧୧୧ ସହରକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି । ତେବେ ଏହି ସର୍ଭେକୁ ୪ଟି ସ୍ତମ୍ଭ ଯଥା- ଶିକ୍ଷାନୁଷ୍ଠାନ, ଅର୍ଥନୀତି, ସାମାଜିକ ସ୍ଥିତି ଏବଂ ଫିଜିକାଲ ଷ୍ଟାଟସକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସହରର ଗୁଣବତା ମାପଦଣ୍ଡ କରିବା ପାଇଁ ଯାତାୟତ ଓ ପରିବହନ, ବିଦ୍ୟୁତ ସରବରାହ, ନିରାପତ୍ତା ଓ ସୁରକ୍ଷା, ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଶାସନ ବ୍ୟବସ୍ଥା, ଅର୍ଥନୀତି ଏବଂ ନିଯୁକ୍ତି ଭଳି ୧୫ଟି ଶ୍ରେଣୀରେ ବିଭାଗ କରାଯାଇ ଚଳିତ ବର୍ଷର ଦେଶର ସୁରକ୍ଷିତ ଏବଂ ଉତ୍ତମ ସହର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ । ସହରର ଜନସଂଖ୍ୟାକୁ ମଧ୍ୟ ୪ଟି ଭାଗରେ ବିଭାଜନ କରି ସର୍ଭେ କରାଯାଇଥିଲା । ୪ ମିଲିୟନ, ୧ରୁ ୫ ମିଲିୟନ, ୦.୫ ମିଲିୟନରୁ ୧ ମିଲିୟନ ଏବଂ ୦.୫ ମିଲିୟନ ସଂଖ୍ୟକ ଜନସଂଖ୍ୟା ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ତେବେ ଇଜ୍ ଅଫ ଲିଭିଙ୍ଗ ସିଟି ୨୦୧୮ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ସୁରକ୍ଷିତ ଏବଂ ଉତ୍ତ ମ ସହରର ପ୍ରଥମ ସ୍ଥାନରେ ଅଛି ପୁଣେ । ଦ୍ୱିତୀୟରେ ନେଭୀ ମୁମ୍ବାଇ, ତୃତୀୟରେ ଗ୍ରେଟର ନଇଡା, ଚତୁର୍ଥରେ ତିରୁପତି, ପଞ୍ଚମରେ ଚଣ୍ଡିଗଡ, ଷଷ୍ଠରେ ଥାଣେ, ସପ୍ତମରେ ରାୟପୁର, ଅଷ୍ଟମରେ ଇନ୍ଦୋର, ନବମରେ ବିଜୟୱାଡା ଏବଂ ଦଶମ ସ୍ଥାନରେ ରହିଛି ଭୋପାଲ । ତେବେ ଓଡିଶାକୁ ମିଳିଛି ୧୮ତମ ସ୍ଥାନ । ଓଡିଶାର ରାଜଧାନୀ ଭୁବନେଶ୍ୱର ଦେଶର ୧୧୧ ଟି ଉତ୍ତମ ସହର ମଧ୍ୟରେ ୧୮ ତମ ସ୍ଥାନରେ ରହିଥିବାବେଳେ ରାଉରକେଲାକୁ ମିଳିଛି ୮୭ତମ ସ୍ଥାନ ।

ରିପୋର୍ଟ ଅନୁସାରେ ଭୁବନେଶ୍ୱରର ଶିକ୍ଷାନୁଷ୍ଠାନ, ଅର୍ଥନୀତି, ସାମାଜିକ ସ୍ଥିତି ଏବଂ ଫିଜିକାଲ ଷ୍ଟାଟସକୁ ୧୦୦ ପ୍ରତିଶତରୁ ୪୬.୧୯ ପ୍ରତିଶତ ସ୍କୋର ମିଳିଛି । ତେବେ ପୂର୍ବଭାରତର ୧୦ଟି ରାଜ୍ୟ ମାନଙ୍କରେ ଓଡିଶାର ସ୍ଥାନ ତୃତୀୟରେ ରହିଛି । ଏହାର ପ୍ରମୂଖ କାରଣ ହେଉଛି ଯେ, ଦେଶର ପ୍ରଥମ ସ୍ମାର୍ଟସିଟି କୁହାଯାଉଥିବା ଭୁବନେଶ୍ୱର ସହରରେ ଶିକ୍ଷା ବ୍ୟବସ୍ଥା ୬.୨୫ ରୁ ୫,୩୬ ସ୍କୋର ହାସଲ କରିଛି । ସେହିଭଳି ନିରାପତ୍ତା ଓ ସୁରକ୍ଷାରେ ୬.୨୫ ରୁ ୩.୨୩ ସ୍କୋର ମିଳିଛି । ସେହିପରି ହାଉସିଂ ଆଣ୍ଡ ଇନକ୍ଲୁସିଭନେସ୍ ବ୍ୟବସ୍ଥାରେ ଭୁବନେଶ୍ୱରକୁ ୫ ସ୍କୋରରୁ ମିଳିଛି ମାତ୍ର ୦.୦୬ ସ୍କୋର । ସୂଚନା ମୁତାବକ ୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ୱରରେ ପାଖାପାଖି ୯ ଲକ୍ଷ ଲୋକ ବସବାସ କରୁଛନ୍ତି । ଏହାସହ ୫ ଲକ୍ଷ ରୁ ୧୦ ଲକ୍ଷ ଜନସଂଖ୍ୟକ ସହର ମଧ୍ୟରେ ଓଡିଶାର ଭୁବନେଶ୍ୱରକୁ ମିଳିଛି ୪ର୍ଥ ସ୍ଥାନ । ତେବେ ସର୍ଭେରେ ରାଜଧାନୀବାସୀ କହିଛନ୍ତି ଯେ, ଏଠାରେ ଯାତୟତ ଏବଂ ଶିକ୍ଷା ବ୍ୟବସ୍ଥା ସହ ଶାସନ ପଦ୍ଧତି ଉତ୍ତମ ରହିଛି । ଅନ୍ୟ କିଛି ଲୋକ ସହରର ଜଳ ନିଷ୍କାଷନ କାର୍ଯ୍ୟରେ ସୁଧାର ଆଣିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ।

ସେପଟେ ସର୍ଭେରେ ଦେଶର ୧୧୧ଟି ସହର ମଧ୍ୟରେ ଓଡିଶାର ରାଉରକେଲାକୁ ମିଳିଛି ୮୭ତମ ସ୍ଥାନ । ଦେଶର ୫ଲକ୍ଷ ଜନସଂଖ୍ୟକ ସହର ମଧ୍ୟରେ ରହିଥିବା ଏହି ସହର ୧୦୦ରୁ ୨୮.୮୪ ପ୍ରତିଶତ ସ୍କୋର ମିଳିଛି । ଓଡିଶାର ଅନ୍ୟ ଦୁଇଟି ପ୍ରମୂଖ ସହ ବ୍ରହ୍ମପୁର ଏବଂ କଟକ ସହର ଏହି ତାଲିକାରୁ ବାଦ୍ ପଡିଛନ୍ତି । ସେହିପରି ଦେଶର ସବୁଠାରୁ ଉତ୍ତମ ସହର ମଧ୍ୟରେ ଯାତାୟତ ଓ ପରିବହନ, ବିଦ୍ୟୁତ ସରବରାହ, ନିରାପତ୍ତା ଓ ସୁରକ୍ଷା, ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଶାସନ ବ୍ୟବସ୍ଥା, ଅର୍ଥନୀତି ଏବଂ ନିଯୁକ୍ତି ଭଳି ୧୫ଟି ବିଭାଗରେ ମହାରାଷ୍ଟ୍ରର ପୁଣେ ସହରକୁ ପ୍ରଥମ ସ୍ଥାନ । ମିଳିଥିବାବେଳେ ଉତ୍ତରପ୍ରଦେଶର ରାମପୁରକୁ ମିଳିଛି ସବୁଠାରୁ ଅନୁଉତ୍ତମ ସହରର ମାନ୍ୟତା ତଥା ୧୧୧ ତମ ସ୍ଥାନ ।